କନକ ବ୍ୟୁରୋ: ବିଜେପିରେ ମିଶିବା ପରେ ସୁଜିତ କୁମାରଙ୍କ ସାଂଘାତିକ ଅଭିଯୋଗ। ବିଜେଡିର ଭିତିରି ଗୁମର ଖୋଲିଲେ ସୁଜିତ। ସୁଜିତ କହିଛନ୍ତି, ମୋ ପାଇଁ ମାଟି ଆଗ ପାର୍ଟି ପଛ। କଳାହାଣ୍ଡିରେ ହଜାର ହଜାର କୋଟିର ଲୁଟ୍ ହୋଇଥିବା କହିଛନ୍ତି ସୁଜିତ। ବିଜେପିରେ ମିଶିବା ପରେ ଏବେ ଆଗକୁ ସବୁ ତଥ୍ୟ ଦେବେ ବୋଲି କହିଛନ୍ତି ସୁଜିତ। କଳାହାଣ୍ଡିରେ ଅସାଧୁ ବେପାରୀ ଓ କିଛି ସରକାରୀ ଅଧିକାରୀଙ୍କ ଭିତରେ ଚାଲିଥିଲା ମଧୁଚନ୍ଦ୍ରିକା। ତାକୁ ସମର୍ଥନ ଦେଇଥିଲେ ରାଜ୍ୟସ୍ତରୀୟ ନେତା। ଦୁର୍ନୀତିର ଅଭିଯୋଗ କଲା ପରେ ବି କେହି ଶୁଣୁ ନଥିଲେ। ଆଗାମୀ ଦିନରେ ହଜାର ହଜାର କୋଟି ଟଙ୍କାର ଲୁଟର ତାଲିକା ବିସ୍ତାର ଭାବେ ଦେବେ ବୋଲି କହିଛନ୍ତି ସୁଜିତ।

ଏହାକୁ ନେଇ ଦଳରେ ଅଭିଯୋଗ ହୋଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା କହିଛନ୍ତି ସୁଜିତ। କେବଳ ସେତିକି ନୁହେଁ ତାଙ୍କୁ ରାଜ୍ୟସଭାରୁ ବାହାର କରିଦିଆଯିବ ବୋଲି ଧମକ ଦିଆଯାଇଥିବା ସାଂଘାତିକ ଅଭିଯୋଗ କରିଛନ୍ତି ସୁଜିତ। ଏମିତି କି ତାଙ୍କ ପଲିଟିକାଲ କ୍ୟାରିଅର ଶେଷ କରିଦେବାକୁ ଧମକ ଦିଆଯାଇଥିବା କହିଛନ୍ତି। ବିଜେପିରେ ମିଶିବା ପରେ ସୁଜିତ କୁମାର ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ୨୦୨୪ ନିର୍ବାଚନ ପରେ ବିଜେଡିରୁ ଦୁରେଇ ରହୁଥିଲେ ସୁଜିତ କୁମାର। ଏମିତିକି ନିର୍ବାଚନ ଫଳାଫଳ ଆସିବା ପରେ ଜୁନ ୨୭ ତାରିଖରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଲେ, ଜଗନ୍ନାଥ ସବୁ ସହନ୍ତି, ହେଲେ କାହାର ଗର୍ବ ସହନ୍ତି ନାହିଁ। ଏବେ ତାଙ୍କର ଏହି ପୋଷ୍ଟର ମର୍ମ ବୁଝା ପଡୁଛି।

ସୂଚନାଯୋଗ୍ୟ ଯେ, ରାଜ୍ୟସଭାରେ ବଳ ଗୋଟାଉଛି ବିଜେପି। ଗୋଟିଏ ପରେ ଗୋଟିଏ ନେତାଙ୍କୁ ନିଜ ଦଳରେ ମିଶାଇବାକୁ ବିଜେପି ପ୍ରସ୍ତୁତ କରିଛି ମାଷ୍ଟର ପ୍ଲାନ। ବିଭିନ୍ନ ରାଜ୍ୟରେ ପଦ ଛାଡୁଛନ୍ତି ନେତା। ରାଷ୍ଟ୍ରୀୟ ବିଜେପି ଏ ଦିଗରେ ଏବେ କାମ ଆରମ୍ଭ କରିଛି। ପ୍ରଥମେ ମମତା ମହନ୍ତ ଆଉ ଏବେ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ। କିଛି ସମୟ ଆଗରୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର। ତାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇଥିଲା। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ୍ ଧନଖଡଙ୍କୁ ଭେଟି ସୁଜିତ କୁମାର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

୨୦୨୬ ଏପ୍ରିଲ ୨ ତାରିଖରେ ସୁଜିତଙ୍କ କାର୍ଯ୍ୟକାଳ ଶେଷ ହୋଇଥାନ୍ତା। ତେବେ କାର୍ଯ୍ୟକାଳ ଶେଷ ହେବାର ବର୍ଷେ ୭ ମାସ ପୂର୍ବରୁ ସେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ଏହାପରେ ରାଜ୍ୟସଭାରେ ବିଜେଡି ସଦସ୍ୟଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ସେପଟେ ବିଜେଡି ସୁଜିତ୍ କୁମାରଙ୍କୁ ବହିସ୍କାର କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିସ୍କାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୨୦୨୦ କରୋନା ସମୟରେ ବିଜେଡିର ଘନିଷ୍ଠ ହୋଇଥିଲେ। ଦଳରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ହେଲେ ୨୦୨୪ ନିର୍ବାଚନ ପରେ ସେ ଦଳୀୟ କାର୍ଯ୍ୟକ୍ରମକୁ ନେଇ ଅସନ୍ତୁଷ୍ଟ ଥିଲେ । ଅନେକ ସମୟରେ ଦଳୀୟ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ କରୁଥିଲେ। ଆଉ ଏବେ ସେ ବିଜେଡି ଛାଡି ବିଜେପିରେ ମିଶିଛନ୍ତି।