କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ଭାଗରୁ ଏକାଧିକ ଛାତ୍ରୀ ଆତ୍ମଦାହ ଘଟଣା ପରେ ପୁଲିସ ବିଭାଗର ଚିନ୍ତା ପଶିଛି । ବିଶେଷ କରି ବାଲେଶ୍ୱର ଫକୀରମୋହନ କଲେଜ ଘଟଣା ପରେ ଛାତ୍ରୀ ଆତ୍ମହତ୍ୟା ଏକପ୍ରକାର ଟ୍ରେଣ୍ଡ ପାଲଟିଛି । ତେଣୁ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ବିରୋଧୀ ହିଂସା ବିଭାଗ ଏକ ଚିଠି ଲେଖିଛି ।
ଏଥିରେ ଦିଆଯାଇଥିବା ନିର୍ଦ୍ଦେଶ –
ଆତ୍ମହତ୍ୟା ପ୍ରବଣତା ରୋକିବାକୁ ନିର୍ଦ୍ଦେଶ
୧- ମହିଳାଙ୍କ ସମ୍ପର୍କିତ ବିଚାରାଧୀନ ଅଭିଯୋଗ ଓ ନୂଆ ଅଭିଯୋଗର ସମୀକ୍ଷା କରି, ଆତ୍ମକ୍ଷତି ରୋକିବାକୁ ପଦକ୍ଷେପ ନିଅ
୨- ସ୍କୁଲ, କଲେଜ ଓ ତାଲିମ ପ୍ରତିଷ୍ଠାନରେ ଛାତ୍ରଛାତ୍ରୀଙ୍କ ପୂର୍ବ ବିପଦପୂର୍ଣ୍ଣ ସ୍ଥିତିର ଯାଞ୍ଚ କରି ସଚେତନତା ଅଭିଯାନ କର
୩- ଯେ କୌଣସି ମହିଳା କଷ୍ଟ ପାଉଥିଲେ ଟେଲି ମାନସ୍ ଜରିଆରେ ମାନସିକ ସ୍ୱାସ୍ଥ୍ୟ ସହାୟତା ପାଇଁ ପରାମର୍ଶ ଦିଅ
୪- ଗଣମାଧ୍ୟମ ରିପୋର୍ଟଂ ନକାରାତ୍ମକ ପ୍ରଭାବ ପକାଉଥିବାରୁ, ସ୍ଥାନୀୟ ପ୍ରତିନିଧିମାନଙ୍କୁ ଏ ଦିଗରେ ସଚେତନ କରାଯାଉ
କିଶୋର, କିଶୋରୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା ପ୍ରବଣତା ବଢୁଥିବାରୁ ସମାଜର ସବୁ ବର୍ଗକୁ ଏହା ଆନ୍ଦୋଳିତ କରିଛି । ବିଶେଷ କରି ଗଣଶିକ୍ଷା, ଉଚ୍ଚଶିକ୍ଷା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଚିଠିରେ ତାଗିଦ୍ କରାଯାଇଥିବାରୁ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି । ଉଭୟ ଶିକ୍ଷା ବିଭାଗ ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ ବୋଲି ଅଣ୍ଟା ଭିଡ଼ିଛନ୍ତି ।
ଶିକ୍ଷା ବିଭାଗ କହୁଛି ସଚେତନ କରିବ । ହେଲେ ଅଭିଯୋଗ ହେଉଛି, ବ୍ୟବସ୍ଥା ଉପରେ ଭରସା ପାଉନି । ଯେଉଁଥିପାଇଁ ଆତ୍ମହତ୍ୟାକୁ ବାଛି ନେଉଛନ୍ତି ଛାତ୍ରଛାତ୍ରୀ। ଆଉ ଆଶ୍ଚର୍ଯ୍ୟର କଥା, ମହିଳା ଓ ଶିଶୁ ସୁରକ୍ଷା ପାଇଁ ଗଠନ ହୋଇଥିବା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ୱିଙ୍ଗ୍ ନିଜ ଦାୟିତ୍ୱରୁ ହାତ ଝାଡ଼ି ଦେଇଛି ।