କନକ ବ୍ୟୁରୋ: ବଢ଼ିଚାଲିଛି ଆତ୍ମହତ୍ୟା । ସାମାନ୍ୟ ଉତ୍ତେଜନା ହେଉ, ସାମାନ୍ୟ ଧୋକା କିମ୍ବା କୌଣସି କାର୍ଯ୍ୟରେ ବିଫଳତା ନାନା କାରଣରୁ ବଢ଼ିବାରେ ଲାଗିଛି ଆତ୍ମହତ୍ୟା । ଏନେଇ ଅନେକ ସଚେତନତା କରାଯାଉଛି । ହେଲେ ଯୁବପିଢ଼ି ସଚେତନ ହେବା ପରିବର୍ତ୍ତେ ଆତ୍ମହତ୍ୟାର ପଥ ଆପଣାଉଛନ୍ତି ।
ବିଷ ପିଇ କି ରଶି ଲଗାଇ ନୁହେଁ, ନିଜକୁ ନିଜେ ନିଆଁରେ ପୋଡ଼ି ମାରିବା ଘଟଣା ଆଜିର ସମାଜରେ ବଢ଼ିବାରେ ଲାଗିଛି । ଯୁବପିଢ଼ିଙ୍କ କ୍ଷେତ୍ରରେ ବଢ଼ୁଛି ଏଭଳି ମାନସିକତା । ତେବେ ଆତ୍ମହତ୍ୟାରୁ ବର୍ତ୍ତି ଯାଇଥିବା ଜଣେ ଯୁବକ ଆତ୍ମହତ୍ୟା ନକରିବା ଲାଗି ଆଜି କରୁଛନ୍ତି ସଚେତନ । କଟକର ୨୨ ବର୍ଷୀୟ ଯୁବକ ଆଲୋକ ବେହେରା । କୋଭିଡ୍ ବେଳେ ନିଜ ମାଆଙ୍କୁ ହରାଇବା ପରେ ବାହାରିଥିଲେ ଆତ୍ମହତ୍ୟା କରିବାକୁ । ସୌଭାଗ୍ୟବଶତଃ ସାଙ୍ଗର କଥାମାନି ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଆଉ ସେବେଠୁ ଯେଉଁମାନେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି, ସେମାନଙ୍କୁ ବଞ୍ଚାଇବା ଲାଗି ପହଞ୍ଚି ଯାଉଛନ୍ତି । ଦେଉଛନ୍ତି ବଞ୍ଚିବାର ଟିପ୍ସ ।
ଆତ୍ମହତ୍ୟାରୁ ବର୍ତ୍ତିବା ଲାଗି ମନସ୍ତତ୍ତ୍ୱବିତ୍ ଦେଇଛନ୍ତି ଟିପ୍ସ । ମନରେ ଏପରି କିଛି ଭାବନା ଆସିଲେ ତୁରନ୍ତ ନିଜ ଆତ୍ମୀୟ ସ୍ୱଜନଙ୍କ ସହ କଥା ହୁଅନ୍ତୁ । ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ବି ନିଅନ୍ତୁ । ସେହିପରି ଅଗ୍ନିଶମ ବିଭାଗ ଅଧିକାରୀଙ୍କ କହିବା କଥା, ଆତ୍ମହତ୍ୟାର ଟ୍ରେଣ୍ଡ ବଦଳିଛି, କିନ୍ତୁ ଆତ୍ମହତ୍ୟା କମିନି । ଆତ୍ମହତ୍ୟା ରୋକିବା ଲାଗି ନିଜେ ସଚେତନ ରହିବାର ଆବଶ୍ୟକତା ରହିଛି ।