କନକ ବ୍ୟୁରୋ: ଜୀବନରେ କଠିନ ସମୟ ଆସେ, କିନ୍ତୁ ମନେରଖନ୍ତୁ ଯେ ରାତି ପରେ ହିଁ ସକାଳ ହୁଏ । ନିଜକୁ ଏକା ଭାବନ୍ତୁ ନାହିଁ, ସାହାଯ୍ୟ ମାଗିବା ଏକ ସାହସର କାର୍ଯ୍ୟ । ଆପଣଙ୍କ ଜୀବନ ମୂଲ୍ୟବାନ ଅଟେ, ଏହାକୁ ଏକ ସୁଯୋଗ ଦିଅନ୍ତୁ। ଯେତେବେଳେ ସବୁକିଛି ଅନ୍ଧକାରମୟ ମନେହୁଏ, ସେତେବେଳେ ଆଶାର କିରଣ ଖୋଜନ୍ତୁ । ସମୟ ସବୁ କ୍ଷତକୁ ଭଲ କରିଦିଏ, ଧର୍ଯ୍ୟ ଧରନ୍ତୁ...
ଓଡ଼ିଶାରେ ବଢୁଥିବା ଆତ୍ମହତ୍ୟା ସମସ୍ୟା ଏବେ ଚିନ୍ତାର କାରଣ ପାଲଟିଛି । ବାଲେଶ୍ୱର ଛାତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା ଛାତ୍ରୀ ଆଉ ତାପରେ ବରଗଡ଼ ନାବାଳିକା । ଏମିତି ଏବେ ଗୋଟିଏ ପରେ ଗୋଟିଏ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସୁଛି । ଆଉ ଏହାପଛରେ ରହିଛି ଏକ ରୁଗଣ ମାନସିକତା । ଯାହା ଜୀବନକୁ ଅନ୍ଧକାରମୟ କରିଦେଇଥାଏ ।
ଜୀବନର କଠିନ ପରିସ୍ଥିତିରେ ଆତ୍ମହତ୍ୟାକୁ ଏକମାତ୍ର ରାସ୍ତା ଭାବେ ବାଛିନେବା ଏକ ଦୁଃଖଦ ନିଷ୍ପତ୍ତି ହୋଇଥାଏ । ତେଣୁ ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ବରଂ ଏହା ଏକ ଦୁର୍ବଳ ମାନସିକତାର ପରିଚୟ । ଜୀବନରେ ଆସୁଥିବା ସମସ୍ୟାଗୁଡ଼ିକୁ ସାମ୍ନା କରିବାର ଅନେକ ଉପାୟ ରହିଛି ଏବଂ ସଠିକ୍ ସମୟରେ ସାହାଯ୍ୟ ନେଲେ ଏହି ଭୟଙ୍କର ପଦକ୍ଷେପକୁ ଏଡ଼ାଇ ଦିଆଯାଇପାରିବ।
ବିଶେଷଜ୍ଞଙ୍କ ମତ ଅନୁସାରେ ଜୀବନରେ ଆସୁଥିବା ପ୍ରତିକୂଳ ପରିସ୍ଥିତିକୁ ସୁଯୋଗରେ ପରିଣତ କରାଯାଇପାରେ । ମାନସିକ ଚାପ, ଅବସାଦ, ପାରିବାରିକ କଳହ, ଆର୍ଥିକ ସମସ୍ୟା, ସମ୍ପର୍କରେ ବିଫଳତା, ଏବଂ ନିଶା ସେବନ ଭଳି କାରଣଗୁଡ଼ିକ ଆତ୍ମହତ୍ୟା ପାଇଁ ମୁଖ୍ୟତଃ ଦାୟୀ । ତେବେ ଏହି ସମସ୍ୟାଗୁଡ଼ିକର ସମାଧାନ ସମ୍ଭବ ଏବଂ ଆତ୍ମହତ୍ୟା ଏକମାତ୍ର ବାଟ ନୁହେଁ ।
ମନସ୍ତତ୍ତ୍ୱବିତ୍ମାନଙ୍କ ମତରେ, ଆତ୍ମହତ୍ୟା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କଠାରେ କିଛି ପୂର୍ବ ସଙ୍କେତ ଦେଖାଯାଇଥାଏ । ସେମାନେ ନିଜକୁ ଏକୁଟିଆ ରଖନ୍ତି, ଚୁପଚାପ୍ ରୁହନ୍ତି ଏବଂ ମରିବାଟାକୁ ହିଁ ସମସ୍ୟାର ସମାଧାନ ବୋଲି ଭାବନ୍ତି । ଏଭଳି ସ୍ଥିତିରେ ପରିବାର ଓ ସାଙ୍ଗସାଥୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ସହ କଥା ହେବା, ସେମାନଙ୍କୁ ସମୟ ଦେବା ଏବଂ ସେମାନଙ୍କ ମନର କଥା ବୁଝିବା ଦ୍ୱାରା ଏହି ନକାରାତ୍ମକ ଚିନ୍ତାଧାରାକୁ ଦୂର କରାଯାଇପାରିବ । ବିଶେଷଜ୍ଞମାନେ ମତ ଦିଅନ୍ତି ଯେ, ଯଦି କେହି ମାନସିକ ଚାପରେ ଥିବା ଜଣାପଡ଼େ, ତେବେ ତାଙ୍କ ସହ ଖୋଲାଖୋଲି ଭାବେ କଥା ହେବା ଉଚିତ୍ ।
ଓଡ଼ିଶାରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ୨୪ ଘଣ୍ଟିଆ ମାଗଣା ହେଲ୍ପଲାଇନ୍ ନମ୍ବର 14416 ଜାରି କରାଯାଇଛି । ଏଠାରେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ପରାମର୍ଶ ଦିଆଯାଉଛି, ଯାହାକି ଚାପ, ଅବସାଦ ଓ ଆତ୍ମହତ୍ୟା ଭଳି ଚିନ୍ତାଧାରାରୁ ମୁକୁଳିବାରେ ସାହାଯ୍ୟ କରୁଛି ।
ଯଦି ଆପଣ କିମ୍ବା ଆପଣଙ୍କର କୌଣସି ପରିଚିତ ବ୍ୟକ୍ତି ଆତ୍ମହତ୍ୟା ବିଷୟରେ ଚିନ୍ତା କରୁଛନ୍ତି, ତେବେ ତାଙ୍କ ସହ ଖୋଲାଖୋଲି କଥା ହୁଅନ୍ତୁ । ସମସ୍ୟା ବିଷୟରେ ନିଜର ପ୍ରିୟଜନଙ୍କ ସହ ଆଲୋଚନା କରନ୍ତୁ । ମନସ୍ତତ୍ତ୍ୱବିତ୍ କିମ୍ବା ମାନସିକ ରୋଗ ବିଶେଷଜ୍ଞଙ୍କ ସାହାଯ୍ୟ ନେବାକୁ କୁଣ୍ଠାବୋଧ କରନ୍ତୁ ନାହିଁ । ସକାରାତ୍ମକ ପରିବେଶରେ ରୁହନ୍ତୁ । ନିଜକୁ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ କରନ୍ତୁ ଏବଂ ସକାରାତ୍ମକ ଲୋକଙ୍କ ସହ ମିଳାମିଶା କରନ୍ତୁ ।
ଜୀବନରେ ସମସ୍ୟା ଆସିବା ସ୍ୱାଭାବିକ, କିନ୍ତୁ ଆତ୍ମହତ୍ୟା ଏହାର ସମାଧାନ ନୁହେଁ । ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ସଠିକ୍ ସମୟରେ ସଠିକ୍ ସାହାଯ୍ୟ ମିଳିଲେ ଯେକୌଣସି କଠିନ ପରିସ୍ଥିତିରୁ ବାହାରି ହୁଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/12/64-2025-08-12-21-12-55.jpg)