କନକ ବ୍ୟୁରୋ: ପାକିସ୍ତାନର କ୍ବୋଟାରେ ବଲୁଚ ନ୍ୟାସନାଲ ପାର୍ଟିର ରାଲିରେ ବଡ଼ ବିସ୍ଫୋରଣ । ଏଥିରେ ୨୫ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ନିକଟସ୍ଥ ହସ୍ପିଟାଲରେ କରାଯାଉଛି । ଆହତଙ୍କ ମଧ୍ୟରେ ପୂର୍ବ ସାଂସଦ ଅହମଦ ନୱାଜ ଏବଂ ପାର୍ଟି ନେତା ମୁସା ବଲୁଚ ମଧ୍ୟ ସାମିଲ ରହିଛନ୍ତି ।
ଖବର ମୁତାବକ, ଶାହୱାନି ଷ୍ଟାଡିୟମ ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମାପ୍ତ ହେବାର କିଛି ସମୟ ପରେ ବିସ୍ଫୋରଣ ଘଟିଥିଲା । ଏ ନେଇ ବେଲୁଚିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରୀ ମୃତକ ଏବଂ ଆହତଙ୍କ ସଂଖ୍ୟା ବିଷୟରେ ସୂଚନା ଦେଇଛନ୍ତି । ବିଏନ୍ପି ନେତା ଅଖତର ମେଙ୍ଗଲ ଏବଂ ତାଙ୍କ ଗାଡ଼ି ଉପରକୁ ଟାର୍ଗେଟ୍ କରାଯାଇଥିଲା । ଆକ୍ରମଣରେ ପରେ ସୁରକ୍ଷାବାହିନୀ ତୁରନ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ । ଅଖତର ମେଙ୍ଗଲଙ୍କ କାଫିଲା ଘଟଣାସ୍ଥଳ ଅତିକ୍ରମ କରିବାର କିଛି ସମୟ ପରେ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ୧୫ ଜଣ ଦଳୀୟ ସଦସ୍ୟଙ୍କ ମୃତ୍ୟୁ ହୋଇଛି । କର୍ତ୍ତୃପକ୍ଷ ଏବେ ବିସ୍ଫୋରଣର ତଦନ୍ତ କରୁଛନ୍ତି । ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ଏହି ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି । ଏହି ଆକ୍ରମଣରେ ଆହତମାନଙ୍କ ପାଇଁ ତୁରନ୍ତ ଚିକିତ୍ସା ଯୋଗାଇବା ସହ ମାମଲାର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଆକ୍ରମଣର ଦୋଷୀମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।