କନକ ବ୍ୟୁରୋ : ଅଞ୍ଚଳର ବିକାଶ ଓ ଆର୍ଥିକ ଉନ୍ନତି ପାଇଁ ଗଞ୍ଜାମ ଜିଲ୍ଲା ଆସିକାରେ ପ୍ରତିଷ୍ଠା ହୋଇଥିଲା ଚିନିଶିଳ୍ପ। ଶିଳ୍ପ ପ୍ରତିଷ୍ଠା ପରେ ଅଞ୍ଚଳର ଚାଷୀ ଧୀରେ ଧୀରେ ଅନ୍ୟ ଚାଷକୁ ଛାଡି ଅର୍ଥକାରୀ ଫସଲ ଆଖୁକୁ ଆପଣାଇଥିଲେ।। ଫଳରେ ଗଞ୍ଜାମରେ ହଜାର ହଜାର ହେକ୍ଟର ଜମିରେ ଆଖୁ ଚାଷ ହେଉଥିଲା। ହେଲେ ଗତ କିଛି ବର୍ଷ ହେବ ବିଭିନ୍ନ କାରଣରୁ ଆଖୁ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ ।
ଏକଦା ଆଖୁରୁ ଚିନି, ଗୁଡ଼, ନବାତ ଉତ୍ପାଦନ କରି ସମଗ୍ର ଏସିଆ ମହାଦେଶ ସ୍ୱତନ୍ତ୍ର ପରିଚୟ ପାଇଥିଲା ଆସିକା। ଯାହାକୁ ନିର୍ଭର କରି ୧୯୬୦ରେ ଗଢ଼ିଉଠିଥିଲା ଆସିକା ଚିନିକଳ। ଏବେ ଧୀରେ ଧୀରେ ନିଜର ପରିଚୟ ହରାଇବାକୁ ବସିଲାଣି। କାରଣ ଆଉ ଆଗ ଭଳି ଆଖୁ ଚାଷ ହେଉନି। ସରକାରୀ ପ୍ରୋତ୍ସାହନର ଅଭାବ, ବନ୍ୟ ପ୍ରାଣୀ ଉପଦ୍ରବ, ଶ୍ରମିକ ସମସ୍ୟା ଆଦି କାରଣରୁ ଆଖୁ ଚାଷ ପ୍ରତି ବିମୁଖ ହେଲେଣି ଚାଷୀ। ଏହା ବଦଳରେ ମକା, କୋଳଥ, ଭୂଇଁ ଚଣା ଆଦି ଅନ୍ୟ ଫସଲକୁ ଆପଣାଇଲେଣି।
ଅଧିକ ପଢ଼ନ୍ତୁ :ସଚେତନତା ବଢ଼ୁଛି, ହେଲେ ହାରୁନି ଏଡ୍ସ ରାକ୍ଷସ ! ଗଞ୍ଜାମ ଜିଲ୍ଲା ଏବେ ବି ଓଡ଼ିଶାର ଏଡ୍ସ ରାଜଧାନୀ
ବର୍ଷକୁ ୬ ମାସ ଆଖୁ ପେଡ଼ୁଥିବା ଚିନି ଶିଳ୍ପ ଏବେ ମାତ୍ର ଏକ ମାସ ଚାଲୁଛି। ତଥ୍ୟ ଅନୁସାରେ, ଗତ ୨୦୨୪-୨୫ରେ ଗଞ୍ଜାମର ୧୦ ଡିଭିଜନରେ ୧ ହଜାର ୪୫୬ ଚାଷୀ ଆଖୁ ଚାଷ ପାଇଁ ପଞ୍ଜୀକରଣ କରିଥିଲେ। ମୋଟ ୨ ହଜାର ୨୭ ଏକର ଜମିରେ ଆଖୁ ହୋଇଥିଲା। ଆସିକା ଚିନି କଳରେ ୩୪ ହଜାର ୩୦୮ ମେଟ୍ରିକ୍ ଟନ୍ ଆଖୁ ପେଡ଼ାଯାଇଥିଲା। ୨୦୨୫-୨୬ରେ ଏହି ସଂଖ୍ୟା କମି ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ୮୬୬କୁ ଆସିଛି। ୧୨ ଶହ ୧୯ ଏକର ଜମିରେ ଚାଷ ହୋଇଛି। ତେଣୁ ଚଳିତ ବର୍ଷ କାରଖାନା କେବଳ ୨୩ ହଜାର ୮ ଶହ ମେଟ୍ରିକ ଟନ ଆଖୁ ପେଡ଼ିବ। ବର୍ଷକୁ ବର୍ଷ କମୁଥିବା ଚାଷର ପରିମାଣ ଚିନି ଶିଳ୍ପ ପାଇଁ ଶୁଭଙ୍କର ନୁହେଁ। ଶିଳ୍ପ କର୍ତ୍ତୃପକ୍ଷଙ୍କ ମତରେ ଧାନର ମୂଲ୍ୟ ବୃଦ୍ଧି ପାଇଁ ଚାଷୀ ଆଖୁ ଛାଡ଼ି ଧାନ ଚାଷ କରୁଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/04/a1-2026-03-04-18-33-16.jpg)