କନକ ବ୍ୟୁରୋ:  ପୁଣି ଆମେରିକାରେ ଭାରତୀୟଙ୍କୁ ହତ୍ୟା । ୨୯ ବର୍ଷୀୟ ଆଇଟି ଇଂଜିନିୟରଙ୍କୁ ତାଙ୍କ ରୁମମେଟଙ୍କ ସହ ହୋଇଥିବା ଝଗଡ଼ା ପରେ ଆମେରିକା ପୁଲିସ୍‌ ଗୁଳି କରି ହତ୍ୟା କରିଛି ବୋଲି ତାଙ୍କ ପରିବାର ଲୋକ ଗୁରୁବାର ଅଭିଯୋଗ ଆଣିଛନ୍ତି । କାଲିଫର୍ଣ୍ଣିଆର ଜଣେ ସଫ୍ଟୱେୟାର୍ ପ୍ରଫେସନାଲ ମହମ୍ମଦ ନିଜାମୁଦ୍ଦିନଙ୍କୁ ସେପ୍ଟେମ୍ବର ୩ ତାରିଖରେ ସାଣ୍ଟା କ୍ଲାରା ପୁଲିସ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ବାପା ମହମ୍ମଦ ହସନୁଦ୍ଦିନ ଗଣମାଧ୍ୟମକୁ କହିଛନ୍ତି, ପୁଅର ଜଣେ ବନ୍ଧୁ ତାଙ୍କୁ ଏହି ମୃତ୍ୟୁ ବାବଦରେ ଜଣାଇଛନ୍ତି । ତେବେ ବାସ୍ତବରେ କେମିତି ଓ କେଉଁ କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଛି ତାହା ଏବେ ବି ଅସ୍ପଷ୍ଟ ରହିଛି ।

Advertisment

 ନିଜାମୁଦ୍ଦିନ ଉଚ୍ଚଶିକ୍ଷା ପାଇଁ ୨୦୧୬ରେ ଆମେରିକା ଚାଲିଯାଇଥିଲେ ଏବଂ ପରେ ସାଣ୍ଟା କ୍ଲାରାରେ ରହୁଥିଲେ । ନିଜାମୁଦ୍ଦିନ ଫ୍ଲୋରିଡା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ସ୍ନାତକ ହାସଲ କରି ଏକ ପ୍ରମୁଖ କମ୍ପାନିରେ ସଫ୍ଟୱେୟାର୍ ଇଞ୍ଜିନିୟର ଭାବରେ କାମ କରୁଥିଲେ। ହାଇଦ୍ରାବାଦରେ ନିଜାମୁଦ୍ଦିନଙ୍କ ବନ୍ଧୁ କହିଛନ୍ତି, ସେ ଜାଣିବାକୁ ପାଇଲେ ଯେ ନିଜାମୁଦ୍ଦିନ ତାଙ୍କ କାର୍ଯ୍ୟସ୍ଥଳରେ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ ଏବଂ ତାଙ୍କର ଜଣେ ରୁମମେଟ୍ ମଧ୍ୟ ତାଙ୍କୁ ଟାର୍ଗେଟ କରୁଥିଲା ।