କନକ ବ୍ୟୁରୋ : ଦେଶ ସେବା ପାଇଁ ସମର୍ପିତ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର କମଳାପୁର ଗାଁ । ଏହି ଗାଁରେ ଘରେ ଘରେ ଯବାନ । ଦେଶର ସ୍ଥଳ, ଜଳ ଓ ନୌସେନାରେ ଯୋଗ ଦେଇ ଦେଶ ମାତୃକାର ସେବା କରିବାର ସୌଭାଗ୍ୟ ଲାଭ କରିଛନ୍ତି । ଏହି ଅଞ୍ଚଳରୁ ବହୁ ସେନା କର୍ମଚାରୀ ଦେଶ ପାଇଁ ସହିଦ ମଧ୍ୟ ହୋଇଛନ୍ତି । ବ୍ରହ୍ମପୁର ଉପକଣ୍ଠର କାମଳପୁର ଗାଁରେ ରୁହନ୍ତି ହଜାରେରୁ ଅଧିକ ପରିବାର । ପ୍ରତିଘରୁ କେହି ନା କେହି ସେନା ବାହିନୀରେ କାର୍ଯ୍ୟରତ । ଦେଶ ସେବାରେ ଗାଁରୁ ୧୭ ଜଣ ସହିଦ ହୋଇଛନ୍ତି । ତଥାପି କାହାରି ମନରେ ଭୟ ନାହିଁ ବରଂ ଦେଶସୁରକ୍ଷାରେ ଯୋଗଦାନ ପାଇଁ ସମସ୍ତେ ଗର୍ବ କରନ୍ତି । ସହିଦ ବାପାର ପୁଅ ବି ସେନାରେ ସାମିଲ ହୋଇଛନ୍ତି, ସୀମାରେ ଜାଗ୍ରତ ପ୍ରହରୀ ସାଜିଛନ୍ତି ।
କାମଳପୁର ଗାଁର ସେମିତି ଜଣେ ବୀରପୁତ୍ର ସହିଦ ଗୋବିନ୍ଦ ରାଓ । ତାଙ୍କ ବାପା ଭାଇ ସମସ୍ତେ ସେନାରେ କାର୍ଯ୍ୟରତ ଥିଲେ । ୧୬ ବର୍ଷ ଧରି ସେନାରେ ହାବିଲଦାର ଭାବେ କାମ କରୁଥିବା ଗୋବିନ୍ଦ ଜଣେ ଭଲ ବନ୍ଧୁକଧାରୀ ଥିଲେ । କାରଗିଲ ଯୁଦ୍ଧରେ ଦେଶ ପାଇଁ ଲଢ଼ୁଲଢ଼ୁ ଶତ୍ରୁ ଗୁଳିରେ ଟଳି ପଡ଼ିଥିଲେ। ସ୍ୱାମୀ ସହିଦ ହେବା ପରେ ପୁଅକୁ ସେନାରେ ସାମିଲ ହେବାକୁ ପ୍ରେରଣା ଦେଇଥିଲେ ବୀରପତ୍ନୀ । ଏବେ ଗୋବିନ୍ଦଙ୍କ ପୁଅ ବି ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି । ଆଜି ବି ଗାଁରୁ ଅନେକ ଯୁବ ପିଢ଼ି ସେନାରେ ସାମିଲ ହେବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/15/36-2025-08-15-18-01-48.jpg)