କନକ ବ୍ୟୁରୋ : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ନାଇଦଳୀ ଗାଁର ମିନତି ପ୍ରଧାନ । ଜଣେ ସାଧାରଣ ଗୃହିଣୀ । ଅର୍ଥ ଅଭାବରୁ ଦିନେ ଅନେକ ସମସ୍ୟାର ସାମନା କରୁଥିଲେ । ଏଥିରେ ସୁଧାର ଆଣିବା ପାଇଁ ସେ ସ୍ବୟଂ ସହାୟକ ଗୋଷ୍ଠୀରୁ କିଛି ଋଣ ନେଇ ଆରମ୍ଭ କଲେ କୁକୁଡ଼ା ଫାର୍ମ । ସଫଳତା ପାଇବା ପରେ ଆଉ ଏକ ଫାର୍ମ କରିଛନ୍ତି । ସେଥିରୁ ମିଳୁଥିବା ରୋଜଗାରରେ ପରିବାର ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି । ଏହି କାମରେ ତାଙ୍କୁ ତାଙ୍କ ସ୍ବାମୀ ପୂର୍ଣ୍ଣ ସହଯୋଗ କରୁଛନ୍ତି । ତାଙ୍କର ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । 

Advertisment

 ୧୭ ବର୍ଷ ତଳେ ମିନତି ଦୁର୍ଗାମାତା ଏସଏଚଜି ଗ୍ରୁପରେ ସାଧାରଣ ସଭ୍ୟା ଭାବେ ସାମିଲ ହୋଇଥିଲେ । ସେଥିରେ ରହିଲା ପରେ ସରକାରଙ୍କ ବିଭିନ୍ନ ସହାୟତା ସହଯୋଗ ସମ୍ପର୍କରେ ଅଧିକ ଜାଣିଲେ । ଏହା ପରେ ୨୦୧୦ରେ ପ୍ରଥମ ପର୍ଯ୍ୟାୟରେ ଏସଏଚଜିରୁ ଋଣ ନେଇ ସ୍ୱାମୀଙ୍କ ସହଯୋଗରେ ଆରମ୍ଭ କଲେ କୁକୁଡ଼ା ଫାର୍ମ । ଆଉ ସେଥିରେ କିଛି ବର୍ଷ ଅଳ୍ପ ଲାଭ ପରେ ଏବେ ସେହି ଫାର୍ମରୁ ଭଲ ଦି’ପଇସା ଲାଭ ପାଉଛନ୍ତି । ଏଥିସହ ସଫଳ କୁକୁଡ଼ା ଚାଷୀ ଭାବେ ଅଂଚଳରେ ଖ୍ୟାତି ଲାଭ କରିଛନ୍ତି । 

 ସେହି ଫାର୍ମରୁ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ସହ ଦି ପଇସା ସଂଚୟ କରିବାରେ ସକ୍ଷମ ହୋଇ ପାରିଛନ୍ତି ମିନତି । ତେବେ ତାଙ୍କର ଏହି ଭଳି ଉଦ୍ୟମ ପାଇଁ ତାଙ୍କ ପରିବାର ଓ ଗ୍ରୁପର ମହିଳା ମାନେ ଖୁସି ପ୍ରକାଶ କରିଛନ୍ତି ।