କନକ ବ୍ୟୁରୋ: ଭୋଗରାଇ ବ୍ଳକ କଖଡ଼ା ଗାଁର ସାଧାରଣ ମହିଳା ଆରତୀ ଦାସ । ଏବେ ୧୦ ଲକ୍ଷ ଟଙ୍କାର ପୁଞ୍ଜିପତି । ଗାଁର ସାଧାରଣ ଗୃହିଣୀରୁ ଲକ୍ଷପତି ଦିଦି । ସ୍ୱଳ୍ପ ରୋଜଗାରରୁ ଆରମ୍ଭ ହୋଇଥିବା ବ୍ୟବସାୟ ଏବେ ତାଙ୍କୁ ଲକ୍ଷପତି ଦିଦିରେ ପରିଣତ କରିଛି । ନିଜ ବୁଦ୍ଧି ଓ ପରିଶ୍ରମ ପାଇଁ ନିଜେ ସ୍ୱାବଲମ୍ବୀ ହେବା ସହ ଆର୍ଥୀକ କ୍ଷେତ୍ରରେ ପରିବାରକୁ ବେଶ ଆଗକୁ ନେଇ ପାରିଛନ୍ତି । ୧୫ ବର୍ଷ ତଳେ ରାଧାମାଧବ ଗୋଷ୍ଠୀରେ ଜଣେ ସାଧାରଣ ସଭ୍ୟା ଭାବେ ସାମିଲ ହୋଇଥିଲେ । ଏହାପରେ ୩୦ ହଜାର ଟଙ୍କା ଋଣ ନେଇ କୁକୁଡ଼ା ଫାର୍ମ ଆରମ୍ଭ କଲେ। ତା’ପରେ ୫୦ ହଜାର ଟଙ୍କାର ଋଣ ନେଇ ଆରମ୍ଭ କଲେ ଛେଳି ଚାଷ । ପୁଣି କିଛି ଟଙ୍କା ବିନିଯୋଗ କରି ଗୋପାଳନ ଆରମ୍ଭ କଲେ ଆରତୀ । ଗାଈ ଗୁଡିକ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ସହ ଛେଳିଙ୍କ ପାଇଁ ଡାଳ ପତ୍ର ନିଜେ ଯୋଗାଡ଼ କରନ୍ତି । ଉଭୟଙ୍କ ସହଯୋଗ ଓ ପରିଶ୍ରମ ଯୋଗୁ ବଢ଼ିଚାଲିଛି ଆରତୀଙ୍କ ଛେଳି ଚାଷ ଓ ଗୋପାଳନ ।
ଖାଲି ସେତିକିରେ ଅଟକି ନାହାନ୍ତି ଆରତୀ । ଛେଳି ଓ ଗୋପାଳନ କରିବା ସହ ଗୋଟିଏ ମାଛ ପୋଖରୀ ମଧ୍ୟ କରିଛନ୍ତି । ଯେଉଁଥିରେ ବର୍ଷକୁ ୪୦ ରୁ ୪୫ ହଜାର ଟଙ୍କା ରୋଜଗାର କରୁଛନ୍ତି । ଛେଳି ଗୋଟାକୁ ୫ ରୁ ୭ ହାଜର ଟଙ୍କାରେ ବିକ୍ରି କରୁଛନ୍ତି ଆରତୀ । ପ୍ରତ୍ୟେକ ଦିନ ୧୨ ରୁ ୧୩ ଲିଟର କ୍ଷୀର ବିକ୍ରି ହେଉଛି । କଠିନ ପରିଶ୍ରମ ପାଇଁ ଏକାଧିକ ଚାଷରୁ ନିଜ ପରିବାରର ଗୁଜୁରାଣ ମେଣ୍ଟିବା ସହ କିଛି ସଂଚୟ କରିବାରେ ସକ୍ଷମ ହୋଇପାରିଛନ୍ତି ଆରତୀ । ଆଉ ଆରତୀଙ୍କ ଏହି ସଫଳତା ପଛରେ ନିଜ ଅଂଚଳର ସିଆରପି ଓ ପ୍ରାଣୀ ମିତ୍ରଙ୍କ ଅନେକ ସହଯୋଗ ରହିଛି । ଆରତୀଙ୍କ ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।