କନକ ବ୍ୟୁରୋ: ଅପରେସନ ସିନ୍ଦୂର ବେଳେ ଚୀନ, ପାକିସ୍ତାନ ଓ ତୁର୍କୀର ତ୍ରିକୋଣ ରଣନୀତିକୁ ପଣ୍ଡ କରିଥିଲା ଭାରତ । ଭାରତର ଯୁଦ୍ଧ ରଣନୀତିକୁ ସାରା ବିଶ୍ବ ଦେଖିଛି । ଚୀନ୍ ବିମାନ ଓ ତୁର୍କୀ ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାକୁ ସବୁ ଚେଷ୍ଟା କରି ବିଫଳ ହୋଇଥିଲା । ବୁଧବାର ଭାରତ ଏକ ନୂଆ ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ କରିଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଭାରତ ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିକଶିତ କରିଛି । ଏହାକୁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଛି । ‘ଆକାଶ ପ୍ରାଇମ୍’ ନାମକ ଏହି ଏୟାର ଡିଫେନ୍ସ ସିଷ୍ଟମକୁ ଲଦାଖ ସେକ୍ଟରରେ ୧୫ ହଜାର ଫୁଟ ଉଚ୍ଚତାରେ ସଫଳ ପରୀକ୍ଷଣ କରାଯାଇଛି । ଏହି ନୂଆ ପ୍ରତିରକ୍ଷା ବ୍ୟବସ୍ଥାର ସଫଳତା ପରେ ଯଦି ଭବିଷ୍ୟତରେ କୌଣସି ଶତ୍ରୁ ଦେଶ ଭାରତ ଉପରେ ଆଖି ପକାଇବାକୁ ଚେଷ୍ଟା କରେ ତେବେ ପରିଣାମ ଭୟଙ୍କର ହେବ ବୋଲି ପ୍ରତିରକ୍ଷା ସମୀକ୍ଷକ ମତ ରଖୁଛନ୍ତି ।
ପରୀକ୍ଷଣ ସମୟରେ ଦୁଇଟି ହାଇସ୍ପିଡ୍ ଟାର୍ଗେଟ୍କୁ ଏହି ନୂଆ ସିଷ୍ଟମ୍ ସିଧାସଳଖ ଆକ୍ରମଣ କରିଥିଲା । ପ୍ରତିରକ୍ଷା ପ୍ରଣାଳୀ ଶତ ପ୍ରତିଶତ ସଫଳ ହୋଇଥିଲା ବୋଲି ପ୍ରତିରକ୍ଷା ଅଧିକାରୀ କହିଛନ୍ତି । ଆକାଶ ପ୍ରାଇମ ସିଷ୍ଟମ୍ ପାଇଁ ଭାରତୀୟ ସେନାରେ ଆକାଶ ଏୟାର ଡିଫେନ୍ସ ସିଷ୍ଟମର ତୃତୀୟ ଓ ଚତୁର୍ଥ ରେଜିମେଣ୍ଟ ଗଠନ ହେବ । ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍କୁ ବିଫଳ କରିବାରେ ମଧ୍ୟ ‘ଆକାଶ’ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବହୁତ ଭଲ ପ୍ରଦର୍ଶନ କରିଥିଲା । ଭାରତରେ ଭୂପୃଷ୍ଠକୁ ଗୋଟିଏ ବି ଡ୍ରୋନ୍ କିମ୍ବା ମିସାଇଲ ଛୁଇଁ ପାରିନଥିଲା ।