କନକବ୍ୟୁରୋ : ଦିନକୁ ଦିନ ବେରୋଜଗାରୀ ଯେମିତି ଏକ ବ୍ୟାଧି ପାଲଟିଗଲଣି । ରୋଜଗାର କରିବା ପାଇଁ କିଏ ଘରୋଇ ଚାକିରି ଖୋଜୁଛି ତ ପୁଣି କିଏ ସରକାରୀ ଚାକିରି ଖଣ୍ଡିଏ କରିବା ପାଇଁ ଚେଷ୍ଟା କରି କରି ସବୁ ସମୟ ସାରିଦେଉଛି । ହେଲେ ଚାକିରିରୁ ଯେ କେବଳ ରୋଜଗାର କରିହେବ ତା’ ନୁହେଁ ଚାଷ କରି ମଧ୍ୟ ଚାକିରି ଠାରୁ ଅଧିକ ରୋଜଗାର କରିହେବ । ଯାହା ପ୍ରମାଣିତ କରିଛନ୍ତି ଦେବଗଡ଼ ଜିଲ୍ଲାର ଜଣେ ଉଚ୍ଚଶିକ୍ଷିତ ମହିଳା ।
ଦେବଗଡ଼ ବାରକୋଟ ବ୍ଲକ ଉଟୁଣିଆମୁଣ୍ଡା ଗାଁର ସ୍ବାଗତିକା ବିଶ୍ବାଳ । କୋଳି ଚାଷ ଦ୍ବାରା ସେ ନିଜେ କେବଳ ରୋଜଗାର କରୁଛନ୍ତି ତା’ ନୁହେଁ ଅନ୍ୟ ମହିଳା ମାନଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି । ଆଖପାଖ ଅଂଚଳର ୧୫ ରୁ ୨୦ ଜଣ ମହିଳା ଓ ପୁରୁଷ ତାଙ୍କ ଜମିରେ କାମ କରି କିଛି ରୋଜଗାର କରିପାରୁଛନ୍ତି । ୩ ବର୍ଷ ତଳୁ ସେ ଏହି ଚାଷ ଆରମ୍ଭ କରିଛନ୍ତି ।
ଏବେ ବାର୍ଷିକ ଲକ୍ଷାଧିକ ଟଙ୍କାର ରୋଜଗାର ହେଉଛି । ତାଙ୍କ ସ୍ବାମୀ କଳା ଶିକ୍ଷକ ଭାବେ ଚାକିରି କରୁଥିବା ବେଳେ ପରିବାରର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ କୃଷି କ୍ଷେତ୍ରରେ ରୋଜଗାର କରିହେବ ବୋଲି ଚିନ୍ତା କରି ଏହି ଚାଷକୁ ଆପଣାଇଛନ୍ତି । ୟୁଟ୍ୟୁବରୁ ଚାଷ କରିବାର ପ୍ରଣାଳୀ ବିଷୟରେ ଜାଣିବା ପରେ ସ୍ବାମୀଙ୍କ ସହଯୋଗରେ ଏହି ଚାଷ ଆରମ୍ଭ କରିଛନ୍ତି ।
ପିଲାଦିନୁ ଚାଷ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା । ତେଣୁ ଗାଁରେ ଥିବା ୩ ଏକର ଜମିରେ କୋଳି ଚାଷ କରିଛନ୍ତି ସ୍ବାଗତିକା । କଲିକତାରୁ ୮୦୦ ଚାରା ମଗାଇ ଗଛ ଲଗାଇଛନ୍ତି । ଥାଇଲାଣ୍ଡ ଆପଲ ବେରି, କାଶ୍ମୀର ଆପଲ ବେରି ଓ ବଲ ସୁନ୍ଦରୀ କୋଳି ଚାଷ କରି ଏବେ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଏହି ଚାଷ ପାଇଁ ବାର୍ଷିକ ୧ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୪ ଲକ୍ଷ ୫୦ହଜାର ଟଙ୍କା ଆୟ ହେଉଛି । ବର୍ତ୍ତମାନ ସମୟର ଯୁବପିଢ଼ି ଚାକିରି ଖୋଜିବାରେ ସମୟ ନଷ୍ଟ କରୁଥିବା ବେଳେ ସ୍ବାଗତିକାଙ୍କ ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ।