କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ନଇନ୍ଦିପୁର ଗାଁର ଅରବିନ୍ଦ ବିଶ୍ବାଳ। ଦିନେ ରୋଜଗାର ପାଇଁ ବାହାର ରାଜ୍ୟରେ ଦାଦନ ଖଟୁଥିଲେ । ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଏବେ ସେ ଜଣେ ସଫଳ ଚାଷୀ । ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। ଅରବିନ୍ଦ ମହାକାଳପଡ଼ା ବ୍ଲକ ନଈବନ୍ଧ ଗାଁରେ ୫ ଏକର ଜମି ଲିଜ୍ ନେଇ ତିନୋଟି ପୋଖରୀରେ ମାଛ ଚାଷ କରିବା ସହିତ ୨୫୦ରୁ ଊର୍ଦ୍ଧ୍ବ କୁକୁଡା ଓ ଛେଳି ଚାଷ କରୁଛନ୍ତି ।
ଅରବିନ୍ଦ ପରିବାର ଚଳାଇବା ପାଇଁ ବାହାର ରାଜ୍ୟରେ ରହି କାମ କରୁଥିଲେ ସତ, ହେଲେ ନିଜସ୍ବ ଉଦ୍ୟମରେ ନିଜେ କିଭଳି ରୋଜଗାର କରିବେ ସେଥିପାଇଁ ଚେଷ୍ଟା ଜାରି ରଖିଥିଲେ । ନିଜର ଜମି ନଥିବାରୁ ସେ କିଛି ଜମି ଲିଜ୍ ନେଇ ପୋଖରୀ ଖୋଳି ସେଥିରେ ରୋହି, ଭାକୁର ଓ ରୂପଚାନ୍ଦି ମାଛ ଚାଷ କରୁଛନ୍ତି । ବଜାରରେ ଦେଶୀ କୁକୁଡ଼ା ଓ ଅଣ୍ଡାର ଚାହିଦା ରହିଥିବାରୁ କୁକୁଡ଼ା ଗୋଟାକୁ ୫୦୦ ଟଙ୍କା ଓ ଅଣ୍ଡା ଗୋଟା ୧୨ ଟଙ୍କା ଦାମରେ ବିକ୍ରି କରୁଛନ୍ତି । ସେହିପରି ଛେଳି ବିକ୍ରି କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ତାଙ୍କର ଚାଷ ପ୍ରଣାଳୀରେ ଅନୁପ୍ରାଣିତ ହୋଇ ଜିଲ୍ଲା ତଥା ଜିଲ୍ଲା ବାହାରୁ ତାଙ୍କ ନିକଟକୁ ଆସୁଛନ୍ତି ଲୋକେ । ଅରବିନ୍ଦ ଜଣେ ସଫଳ ଚାଷୀ ଭାବରେ ସ୍ଥାନୀୟ ଅଂଚଳରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟିଛନ୍ତି । ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।