କନକ ବ୍ୟୁରୋ :ଜୀବନରେ ସବୁ ସୁବିଧା ଥାଇ ମଧ୍ୟ ଆଜିର କିଛି ଯୁବପିଢି ଶିକ୍ଷାକୁ ଗୁରୁତ୍ୱ ଦେଉ ନାହାଁନ୍ତି । ହେଲେ ଅନ୍ୟପଟେ ଅନେକ ଅସୁବିଧା ଥିବା ସତ୍ତ୍ୱେ ପାଠ ପଢି ହୀରା ପରି ଚିକ୍‌ ଚିକ୍‌ କରନ୍ତି କିଛି ବିଦ୍ୟାର୍ଥୀ । ଜୀବନରେ ଯେତେ ବି ଅସୁବିଧା ଆସୁନା କାହିଁକି ଯଦି ଦୃଢ ସାହସ ଥାଏ ତେବେ ଯେକୌଣସି ଲକ୍ଷ୍ୟ ହାସଲ କରାଯାଇପାରିବ । ଶୁଣନ୍ତୁ, ସେହିଭଳି ଜଣେ ବ୍ୟକ୍ତିଙ୍କ କାହାଣୀ ଯିଏ କି ପିଲାଦିନେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇ ତାଙ୍କର ଦୁଇଟିଯାକ ଗୋଡ ହରାଇଥିଲେ କିନ୍ତୁ କେବେ ହାର ମାନି ନଥିଲେ ।

Advertisment
12ୋିନିନବ

ଦୁଇଟି ଗୋଡ଼ ନଥିବା ସତ୍ତ୍ୱେ ଜଣେ ଯୁବକ IIT JEE ଆଡଭାନ୍ସଡ୍ ପରୀକ୍ଷାରେ ପାସ୍ କରିଛନ୍ତି । IIT ମାଡ୍ରାସରେ ପାଠପଢ଼ିଛନ୍ତି ଏବଂ ଏବେ ଗୁଗୁଲରେ କାମ କରୁଛନ୍ତି । ଏହା ହେଉଛି ନାଗା ନରେଶ କରତୁରାଙ୍କ କାହାଣୀ । ନାଗା ନରେଶ ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀ କୂଳରେ ଅବସ୍ଥିତ ଏକ ଛୋଟ ଗାଁ ତିପାରୁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଡ୍ରାଇଭର ଥିଲେ ଏବଂ ମାଆ ଜଣେ ଗୃହିଣୀ । ସେମାନଙ୍କ ମଧ୍ୟରୁ କେହି ବି ପାଠ ପଢି ନଥିଲେ କିନ୍ତୁ କୌଣସି ପ୍ରକାରେ ଦୁହେଁ ବାହାରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ ।

1ୋେମିନ

ଦାରିଦ୍ର୍ୟ ଏବଂ ସଂଘର୍ଷ ମଧ୍ୟରେ ଚାଲିଥାଏ ଜୀବନ । ସେହି ସମୟରେ ନରେଶ ଏକ ଦୁର୍ଘଟଣାର ଶିକାର ହେଲେ । ଦୁର୍ଘଟଣା ସ୍ଥଳରୁ ସଙ୍ଗେ ସଙ୍ଗେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ଟଙ୍କା ଅଭାବରୁ ଡାକ୍ତରମାନେ ତାଙ୍କର ଚିକିତ୍ସା କରିବାକୁ ମନା କରିଦେଲେ । ଏହା ପରେ ପୋଲିସ ତାଙ୍କୁ ନେଇ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେଉଁଠାରେ କି ଡାକ୍ତରମାନଙ୍କୁ ତାଙ୍କର ଦୁଇଟି ଗୋଡ କାଟିବାକୁ ପଡିଥିଲା । ଏହା ପରେ ନରେଶଙ୍କୁ ସବୁଦିନ ପାଇଁ ହ୍ୱିଲଚେୟାର ଉପରେ ନିର୍ଭର କରିବାକୁ ପଡିଲା ।

2ୋାନୁପ

ନରେଶ ପିଲାଟି ଦିନରୁ ହିଁ ପାଠପଢ଼ାରେ ବହୁତ ଭଲ ଥିଲେ କିନ୍ତୁ ଦାରିଦ୍ର୍ୟ ଯୋଗୁଁ ତାଙ୍କୁ ସ୍କୁଲ ଛାଡିବାକୁ ପଡିଥିଲା । ପରେ ତାଙ୍କ ପରିବାର ଆନ୍ଧ୍ରପ୍ରଦେଶ ଚାଲିଗଲେ, ଯେଉଁଠାରେ ନରେଶଙ୍କୁ ଏକ ମିଶନାରୀ ସ୍କୁଲରେ ନାମ ଲେଖାଇଥିଲେ । ଦୁଇଟି ଗୋଡ ନଥିବା ସତ୍ତ୍ୱେ ସେ କେବେ ହାରିନଥିଲେ କି ନିଜର ଆତ୍ମ ବିଶ୍ୱାସ ହରାଇ ନଥିଲେ । ଅନେକ ବାଧା ବିଘ୍ନ ସତ୍ତ୍ୱେ ନରେଶ ପାଠପଢ଼ାରେ ଭଲ ପ୍ରଦର୍ଶନ କରିଥିଲେ । ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ IIT-JEE ପାଇଁ ପ୍ରସ୍ତୁତି ଆରମ୍ଭ କଲେ । ସେ JEE ପରୀକ୍ଷାରେ ଅଲ୍ ଇଣ୍ଡିଆ ରାଙ୍କ୍ (AIR) ୯୯୨ ଏବଂ ଭିନ୍ନକ୍ଷମ ବର୍ଗରେ ସାରା ଭାରତରେ ଚତୁର୍ଥ ସ୍ଥାନ ହାସଲ କରିଥିଲେ । JEE ଆଡଭାନ୍ସଡ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ନରେଶ IIT ମାଡ୍ରାସରେ B.Techରେ ପ୍ରବେଶ ପାଇଲେ । 

IIT ମାଡ୍ରାସରୁ B.Tech କରିବା ପରେ ନରେଶଙ୍କୁ ଅନେକ କମ୍ପାନୀରୁ ଚାକିରିର ଅଫର୍‌ ଆସିଥିଲା । ଯେଉଁଥିରୁ ସେ Googleକୁ ହିଁ ବାଛିଥିଲେ। ଆଜି ସେ ଗୁଗୁଲରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର ଭାବରେ କାମ କରୁଛନ୍ତି । ଦୁଃଖ,କଷ୍ଟ,ଦାରିଦ୍ର୍ୟ ଓ ଯନ୍ତ୍ରଣାକୁ ପାର୍‌ କରି ନରେଶ ଆଜି କୋଟି ଯୁବପିଢିଙ୍କ ପ୍ରେରଣା ପାଲଟି ଯାଇଛନ୍ତି । 
ତେବେ ନରେଶଙ୍କ ଏହି କାହାଣୀ ପ୍ରମାଣିତ କରେ ଯେ ଯଦି ଜଣେ ବ୍ୟକ୍ତି କିଛି ହାସଲ କରିବା ପାଇଁ ଆଗ୍ରହ ସହ ସମର୍ପଣ ଭାବନା ରଖେ, ତେବେ ସେ ଯେକୌଣସି ଚ୍ୟାଲେଞ୍ଜକୁ ପରାସ୍ତ କରିପାରିବ ।