କନକ ବ୍ୟୁରୋ : କପଡ଼ାରୁ ବିଭିନ୍ନ ଡିଜାଇନର ବ୍ୟାଗ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀ ଜିପିଏଲଏଫର ୨୦୦ ଜଣ ମହିଳା । ମହିଳା ମାନେ ଗୃହିଣୀ ହୋଇଥିବାରୁ ଘର କାମ ସାରି ଅବସର ସମୟରେ ଏହି କାମ କରି ମାସକୁ ୩ ରୁ ୪ ହଜାର ଟଙ୍କା ରୋଜଗାର କରୁଛନ୍ତି । ଆଉ ଏହି ଅର୍ଥରେ ନିଜର ଆବଶ୍ୟକତା ମେଣ୍ଟାଉଛନ୍ତି । ଫଳରେ ସେମାନଙ୍କୁ ଆଉ କାହା ପାଖରେ ହାତ ପତାଇବାକୁ ପଡୁନାହିଁ  । ପ୍ରଥମେ ମହିଳା ମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି କିଛି କିଛି ଅର୍ଥ ସଞ୍ଚୟ କଲେ । ସେହି ଅର୍ଥରେ କିଛି ହାତ ତିଆରି ସମଗ୍ରୀ ପ୍ରସ୍ତୁତ କରି ସ୍ଥାନୀୟ ବଜାରରେ ବିକ୍ରୀ କରୁଥିଲେ । ସେଥିରୁ ସେମାନଙ୍କୁ ଆବଶ୍ୟକ ଅନୁସାରେ ଅର୍ଥ ମିଳୁନଥିଲା । ଜିପିଏଲଏଫ ମାଧ୍ୟମରେ ଡିଜାଇନର ଡେଭଲପମେଣ୍ଟ ତାଲିମ ନେଇ ବିଭିନ୍ନ ଡିଜାଇନର ଘରୋଇ ସାମଗ୍ରୀ ପ୍ରସ୍ତୁତ କଲେ । ଯାହା ସେମାନଙ୍କୁ ସଫଳତା ଆଣିଦେଇଛି । ଝୋଟ, ସବାଇଘାସ ଏବଂ କପଡାରୁ ସୁନ୍ଦର ସୁନ୍ଦର ବ୍ୟାଗ ପାପୋଚ, ଟେବୁଲ କ୍ଲଥ, ବେଡସିଟ, ଡୋର ସ୍କ୍ରୀନ୍, ମୋବାଇଲ ଷ୍ଟାଣ୍ଡ, ପେନ ଷ୍ଟାଣ୍ଡ, ଫୋଟ ବାଇଣ୍ଡିଙ୍ଗ ଭଳି ଘରସଜା ସାମଗ୍ରୀ ତିଆରି କରୁଛନ୍ତି । ଯାହା ସେମାନଙ୍କୁ ଏକ ନୂଆ ପରିଚୟ ଦେଇଛି । 

Advertisment

ଏଥିରୁ ସମସ୍ତ ପ୍ରକାର ଘରକରଣା ସାମଗ୍ରୀ ତିଆରି କରି ବିଭିନ୍ନ ମେଳା ମହୋତ୍ସବରେ ପଡୁଥିବା ଷ୍ଟଲରେ ବିକ୍ରି କରନ୍ତି ।  ଏହା ସହିତ ସ୍ଥାନୀୟ ବ୍ୟବସାୟୀ ମାନେ ସେମାନଙ୍କ ଠାରୁ ଅର୍ଡର ଦେଇ କିଣିନିଅନ୍ତି । ଗୋଟିଏ କପଡ଼ା ଫାଇଲ ବ୍ୟାଗ ପାଇଁ ୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୭୦ ରୁ ୮୦ ଟଙ୍କାରେ ବିକ୍ରି ହୋଇଥାଏ । ପାଣି ବଟଲ ବ୍ୟାଗ ପାଇଁ ୨୫ରୁ ୩୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିକ୍ରୀ ୫୦ ଟଙ୍କା । ପାପୋଛ ସାଇଜ ଅନୁସାରେ ୨୦୦ ରୁ ୩୦୦ ଖର୍ଚ୍ଚ ହେଉଥିବା ବେଳେ ୫ ଶହ ରୁ ୮ ଶହ ଟଙ୍କାରେ ବିକ୍ରି ହୁଏ । ଟେବୁଲ କ୍ଲଥ ସାଇଜ ଅନୁଯାୟୀ ୩ ଶହରୁ ୪ ଶହ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିକ୍ରି ୫ ଶହରୁ ୭ ଶହ ଟଙ୍କାରେ ହୋଇଥାଏ । ଅବସର ସମୟକୁ ଅପବୟ ନକରି ସେହି ସମୟରେ କିଛି କରିବାକୁ ଚେଷ୍ଟା କଲେ ନିଶ୍ଚୟ ସଫଳତା ମିଳିଥାଏ ବୋଲି କହିଛନ୍ତି ଏହି ଗ୍ରୁପର ମହିଳା ।