କନକ ବ୍ୟୁରୋ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ...ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି । ଦେଶ ପ୍ରେମ, ଦେଶ ଭକ୍ତିର ଏକ ଅସାଧାରଣ ଉଦାହରଣ ସେ । ତାଙ୍କର ଅଦ୍ଭୁତ ଦେଶଭକ୍ତି ହିଁ ତାଙ୍କୁ ଭାରତୀୟ ଇତିହାସରେ ସର୍ବଶ୍ରେଷ୍ଠ ସ୍ୱାଧିନତା ସଂଗ୍ରାମୀର ପରିଚୟ ଦେଇଛି । ସୁଭାଷଙ୍କ ମନରେ ଦେଶପ୍ରେମ,ସ୍ୱାଭିମାନ ଓ ଉଦାର ଭାବନା ପିଲାଟି ବେଳରୁ ହିଁ ଜାଗ୍ରତ ହୋଇଥିଲା । ଏବେ ବି ସେ କୋଟି କୋଟି ଯୁବପୀଢିଙ୍କ ପ୍ରେରଣା..ସାହାସ..ଓ ଶକ୍ତିର ଉତ୍ସ । ‘ଆଜାନ୍ଦ୍ ହିନ୍ଦ ଫୌଜ’ର କର୍ଣ୍ଣଧାର ସୁଭାଷ ଥିଲେ..ଉଜ୍ଜଳମୟ ବ୍ୟକ୍ତିତ୍ୱ ।
୨୩ ଜାନୁୟାରୀ ୧୮୯୭ ମସିହା...କଟକ ଠାରେ ମାତା ପ୍ରଭାବତୀ ଦତ୍ତ ବୋଷ ଓ ପିତା ଜାନକୀନାଥ ବୋଷଙ୍କ କୋଳରେ ନବମ ସନ୍ତାନ ଭାବରେ ତାଙ୍କର ଜନ୍ମ । ବାଲ୍ୟକାଳରୁ ସାହାର୍ୟ୍ୟର ମନବୃତ୍ତି ରଖିଆସୁଥିବା ସୁଭାଷ ଛୁଆଁ ଅଛୁଆଁ ଓ ଜାତିପ୍ରଥା ଭେଦଭାବଠୁ ବହୁତ ଦୂରରେ ଥିଲେ ।
କଟକର ଓଡ଼ିଆ ବଜାରରେ ଥରେ ପ୍ଲେଗ ରୋଗ ବ୍ୟାପିଥିଲା । କେବଳ ସେ ରହୁଥିବା ବାପୁ ପଡ଼ା କଲୋନୀ ହିଁ ଏଥିରୁ ସୁରକ୍ଷିତ ଥିଲା କାରଣ ସେଠାରେ ରହୁଥିବା ଉଚ୍ଚ ଶିକ୍ଷିତ ଲୋକମାନେ ଆଖପାଖର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେଉଥିଲେ । ସେଠାରେ ଥିବା କିଛି ପିଲା ସ୍ୱଚ୍ଛତା ଅଭିଯାନ ଚଳାଇବା ପାଇଁ ଏକ ଦଳ ଗଠନ କରିଥିଲେ । ଯେଉଁଥିରେ ୧୦ ବର୍ଷ ବୟସର ପିଲାଙ୍କଠାରୁ ଆରମ୍ଭ କରି ୧୮ ବର୍ଷ ବୟସର ଯୁବକମାନେ ସାମିଲ ଥିଲେ । ସେହି ଦଳର ମୁଖ୍ୟ ଥିଲେ ୧୨ ବର୍ଷର କୋମଳମତି ବାଳକ ସୁଭାଷ ।
ଓଡ଼ିଆ ବଜାରରେ ହାଇଦର ଅଲି ନାମକ ଜଣେ କୁଖ୍ୟାତ ଖଳ ପ୍ରକୃତିର ବ୍ୟକ୍ତି ଥିଲା । ଯେତେବେଳେ ବାପୁ ପଡ଼ାର ପିଲାମାନେ ଓଡ଼ିଆ ବଜାର ସଫା କରିବାକୁ ଆସୁଥିଲେ, ହାଇଦର ସେମାନଙ୍କୁ ଗାଳି ଗୁଲଜ କରି ବାହାର କରିଦେଉଥିଲେ । କାରଣ ବିଭିନ୍ନ ଅପରାଧୀକ କାର୍ଯ୍ୟ ଯୋଗୁଁ ସେଠାକାର ଓକିଲମାନେ ତାଙ୍କୁ ଅନେକ ଥର ଜେଲ ପଠାଇଥିଲେ । କିଛି ଦିନ ପରେ ହାଇଦରଙ୍କ ସ୍ତ୍ରୀ ଏବଂ ତାଙ୍କ ପୁଅ ମଧ୍ୟ ପ୍ଲେଗରେ ଆକ୍ରାନ୍ତ ହେଲେ ।
ଖବର ପାଇବା ମାତ୍ରେ ହିଁ ସ୍ୱଚ୍ଛତା ଅଭିଯାନ ଦଳର ମୁଖ୍ୟ ବାଳକ ସେମାନଙ୍କର ସେବା କରିବା ଆରମ୍ଭ କଲା । ହାଇଦର ସେ ବାଳକକୁ ପଚାରିଲା, 'ତୁମକୁ ମୋ ଉପରେ ରାଗ ଆସୁ ନାହିଁ ?' ପିଲାଟି ଉତ୍ତର ଦେଲା, 'ମୁଁ କାହିଁକି ରାଗିବି?' ହାଇଦର କହିଲା, 'ମୁଁ ବାପୁ ପଡ଼ାର ଲୋକମାନଙ୍କୁ ଗାଳି ଦିଏ ଘୃଣା କରେ' । ତୁମ ମାନଙ୍କୁ ମୁଁ ଶତ୍ରୁ ଭାବି ତଡ଼ି ଦେଇଥିଲି । ତୁମେ ମୋ ସ୍ତ୍ରୀ ଏବଂ ପିଲାମାନଙ୍କର ସେବା କରୁଛ । ତୁମର ସାହସ ଏବଂ ଉଦାରତାରେ ମୁଁ ପ୍ରଭାବିତ, ପୁଅ..ଦୟାକରି ମୋତେ କ୍ଷମା କର । ସେହି କୋମଳ ବାଳକଟି କହିଲା, 'ତୁମେ ଆମ ବାପା ତୁଲ୍ୟ' କ୍ଷମା କରିବାର ଅଧିକାର ଆମର ନାହିଁ । ଆମକୁ ତ ତୁମର ଆଶୀର୍ବାଦ ଦରକାର । ତୁମ ସ୍ତ୍ରୀ ମୋ ମାଆ ପରି ଏବଂ ପୁଅ ମୋ ଭାଇ ପରି ।
ପିଲାଟିର ନିଃସ୍ୱାର୍ଥପର ସେବା ଏବଂ ମିଠା କଥା ଶୁଣି ହାଇଦର ଅଲ୍ଲି ଏତେ ପ୍ରଭାବିତ ହେଲେ ଯେ ସେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ । ପିଲାଟି କହିଲା, 'ଚାଚା, ଚିନ୍ତା କରନ୍ତୁ ନାହିଁ, ଆମକୁ ଆପଣଙ୍କ ସେବା କରିବାର ସୁଯୋଗ ଦେଉଥାଅ ।
ଶତ୍ରୃକୁ ବି ମିତ୍ରରେ ପରିଣତ କରିଦେଇଥିଲେ ସେ । ସେହି ଅସାଧାରଣ ପିଲାଟି ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାବରେ ପ୍ରସିଦ୍ଧ ଲାଭ କରିଥିଲେ । ଯୁଗେ ଯଗେ ତାଙ୍କୁ ମନେ ରଖିବ ଏ ଦେଶ,ଏ ଯୁବପୀଢୀ,ଏ ସମାଜ । ସେ ଅମର..ସେ ଚିର ସ୍ମରଣୀୟ ।