କନକ ବ୍ୟୁରୋ : ଇତିହାସ ରଚିଲେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଶୁଭାଂଶୁ ଶୁକ୍ଳା । ସବୁ ଅପେକ୍ଷାର ଅନ୍ତ ଘଟିଛି , ଭାରତୀୟ ସମୟ ଦିନ ୧୨ଟା ୧ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆକ୍ସିଅମ୍‌ ମିସନ-୪ ଆରମ୍ଭ ହୋଇଛି । ସ୍ପେସ୍ ଏକ୍ସର ଆକ୍ସିଅମ ମିସନ-୪ର ଉତ୍‌କ୍ଷେପଣ ହୋଇଛି । ମହାକାଶ ଅଭିମୁଖେ ଉଡ଼ାଣ ଭରିଛି ସ୍ପେସ୍ ଏକ୍ସ ମିସନ୍-ଆକ୍ସିଅମ-୪ । ୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ୍ ଯାଇଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ।

Advertisment

୧୯୮୪ରେ ଭାରତର ୱିଙ୍ଗ୍ କମାଣ୍ଡର ରାକେଶ ଶର୍ମା ମହାକାଶକୁ ଯାଇଥିଲେ । ଦୀର୍ଘ ୪ ଦଶନ୍ଧୀ ପରେ ପୁଣି ଜଣେ ଭାରତୀୟ ମହାକାଶକୁ ଯାତ୍ରା କରୁଛନ୍ତି । ୩୯ ବର୍ଷିୟ ଯୁଦ୍ଧବିମାନ ପାଇଲଟ ଶୁଭାଂଶୁଙ୍କୁ ଚୟନ କରିଛି ଇସ୍ରୋ । ସେଥିପାଇଁ ଏକ ମାସରୁ ଅଧିକ ସମୟ ଧରି ସେ ସଂଘରୋଧରେ ରହୁଥିଲେ । ଶୁଭାଂଶୁ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ ଅଛନ୍ତି । ସ୍ପେସ୍‌-ଏକ୍ସ ଡ୍ରାଗନ ସ୍ପେସ୍‌କ୍ରାଫ୍ଟରେ ସେ ମହାକାଶକୁ ଯାଉଛନ୍ତି । ଫାଲକନ-୯ ରକେଟ୍‌ ଦ୍ବାରା ଏହି ମହାକାଶଯାନକୁ ପଠାଯାଉଛି । ଶୁଭାଂଶୁଙ୍କ ସହ ଅନ୍ୟ ଚାରି ମହାକାଶଚାରୀ ଆଇଏସ୍‌ଏସ୍‌ ଯିବେ । ମଧ୍ୟାହ୍ନ ୧୨.୦୧ ମିନିଟରେ ଫ୍ଳୋରିଡାର କେନେଡି ସ୍ପେସ୍‌ ସେଣ୍ଟରରୁ ଲଞ୍ଚ୍‌ ହେଲା । ଆକ୍ସିୟମ-୪ ମିସନରେ ୬୦ଟି ବୈଜ୍ଞାନିକ ଗବେଷଣା କରାଯିବ । ବର୍ତ୍ତମାନ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନରେ ୭କ୍ରୁ ସଦସ୍ୟ ଅଛନ୍ତି । ଆକ୍ସିୟମ-୪ ମିସନ ମେ' ୨୯ ତାରିଖରେ ଲଞ୍ଚ୍‌ ହେବାର ଥିଲା । ୫ ଥର ମିସନ ଫେଲ ହେବା ପରେ ଆଜି ଲଞ୍ଚ୍‌ ହେଲା ଆକ୍ସିୟମ-୪ । ଜଳବାୟୁ ଏବଂ ଟେକ୍ନୋଲୋଜିକ୍‌ର ତ୍ରୁଟି ଯୋଗୁ ଲଞ୍ଚ୍‌ରେ ବିଳମ୍ବ ହୋଇଥିଲା । ଇସ୍ରୋ ଏବଂ ନାସାର ମିଳିତ ସହଯୋଗରେ ଭାରତୀୟ ମହାକାଶଚାରୀ ଯାଉଛନ୍ତି । 

ସେଠାରେ କ’ଣ ଖାଇବେ ଶୁଭାଂଶୁ ?

ଶୁଭାଂଶୁ ଇଣ୍ଟରନ୍ୟାସନନାଲ ସ୍ପେସ୍‌ ଷ୍ଟେସନ(ଆଇଏସଏସ)ରେ ୧୪ ଦିନ ରହିବେ । ଆଇଏସ୍‌ଏସ୍‌ରେ ଖାଇବା ପାଇଁ ସେ ଆବଶ୍ୟକୀୟ ଖାଦ୍ୟ ସାଥିରେ ନେଇଛନ୍ତି । ସୂଚନା ଅନୁସାରେ , ଖାଇବା ପାଇଁ ସେ ତାଙ୍କ ଭାରତୀୟ ମିଠା ନେଇଛନ୍ତି । ଏହାସହ ଗାଜର ହାଲୁଆ, ଆମ୍ବ ଜୁସ୍, ମୁଗ ଡାଲି ହାଲୁଆ ମଧ୍ୟ ନେଇଛନ୍ତି । ଏହାଛଡା ସ୍ପେସ୍‌ ଷ୍ଟେସନରେ ଅନ୍ୟ ଖାଦ୍ୟର ସୁବିଧା ମଧ୍ୟ ରହିଛି । ଏନେଇ ଶୁଭାଂଶୁ ବିବିସିକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି । କୋଟି କୋଟି ଲୋକଙ୍କ ଆଶା, ବିଶ୍ବାସ ଓ ସ୍ବପ୍ନ ସହ ମହାକାଶ ଯାଉଥିବା କହିଛନ୍ତି ଶୁଭାଂଶୁ ।