କନକ ବ୍ୟୁରୋ: ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ସ୍ଥଗିତ ରଖିଛନ୍ତି ସରକାର । ଡିସେମ୍ବର ୨୫ ତାରିଖରେ ଏହି ଟଙ୍କା ମିଳିବାର ଥିଲା । ଏବେ ଯାଞ୍ଚ ପ୍ରକ୍ରିୟା ସରିବା ପରେ ଏହି ଟଙ୍କା କେବେ ମିଳିବ ତାହା ଘୋଷଣା କରିବେ ସରକାର ।

Advertisment
  • ଘୁଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ବଣ୍ଟା
  • ଯାଞ୍ଚ ପରେ ତାରିଖ ଘୋଷଣା 

ଡିସେମ୍ବର ୨୫ରେ ମିଳିବାକୁ ଥିବା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟକୁ ସ୍ଥଗିତ ରଖିଛନ୍ତି ସରକାର । ସୁଭଦ୍ରା ଟଙ୍କା ପାଇବାକୁ ଯାଞ୍ଚ ପ୍ରକ୍ରିୟା ଶେଷ କରିନଥିବା ହିତାଧିକାରୀଙ୍କୁ ସରକାର ଶେଷ ସୁଯୋଗ ଦେଇଛନ୍ତି । କେୱାଇସି ଯାଞ୍ଚ ସମସ୍ୟା ଥିବାରୁ ୫ ଲକ୍ଷ ୧୧ ଆବେଦନକାରୀ ମହିଳାଙ୍କୁ  ଆଉ ଏକ ସୁଯୋଗ ଦେଇଛନ୍ତି ସରକାର । କେୱାଇସି ଅପଡେଟ୍ ହୋଇନଥିବାରୁ ଅଟକିଛି ଆବେଦନ । ଓଟିପି ଜରିଆରେ କେଓ୍ୱାଇସି କରିଥିଲେ ବାୟୋମେଟ୍ରିକ ଜରିଆରେ କେୱାଇସି କରିବାକୁ  ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଜନସେବା କେନ୍ଦ୍ରରେ ଏହି କେୱାଇସି ଯାଞ୍ଚ ହେବ । ଯାଞ୍ଚ ସରିଲେ ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ।

ବିଭିନ୍ନ କାରଣରୁ ବାତିଲ ହୋଇଥିବା ୨ ଲକ୍ଷ ୮୧ ହଜାର ଆବେଦନରୁ ୧୫ ପ୍ରତିଶତର ଯାଞ୍ଚ ଶେଷ ହୋଇନାହିଁ । ଅର୍ଥାତ ୮୫%ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଯେଉଁମାନେ ଯୋଗ୍ୟ ହିତାଧିକାରୀ ହୋଇଥିବେ ସେମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଅନ୍ୟପଟେ ନିଜ ଆଡୁ ସୁଭଦ୍ରା ଟଙ୍କା ନ ନେବାକୁ ଇଛାପ୍ରକାଶ କରିନଥିବା ମହିଳା ଆବେଦନ କଲେ ବିଚାର କରାଯିବ । ବର୍ତ୍ତମାନ ସୁଦ୍ଧା ୩୧ ହଜାର ମହିଳା ଟଙ୍କା ନ ନେବାକୁ ଇଛାପ୍ରକାଶ କରି ଅପ୍ଟ ଆଉଟ୍ ହୋଇଛନ୍ତି । 

ରାଜ୍ୟରେ ସୁଭଦ୍ରା ଯୋଜନାରେ ପଞ୍ଜିକରଣ କୋଟିଏ ପାର କରିଛି । ସେମାନଙ୍କ ମଧ୍ୟରୁ ୮୦ ଲକ୍ଷ ଆବେଦନକାରୀ ପ୍ରଥମ କିସ୍ତି ପାଇ ସାରିଛନ୍ତି। ଅପେକ୍ଷାରେ ୨୦ ଲକ୍ଷରୁ ଅଧିକ ମହିଳା ରହିଛନ୍ତି।