କନକ ବ୍ୟୁରୋ : ସୁଭଦ୍ରା ଯୋଜନା ପାଇଁ ଜିଲ୍ଲାୱାରୀ ଯାଞ୍ଚ ଆରମ୍ଭ ହୋଇଛି । ଯେଉଁ ସ୍ଥାନ ଗୁଡିକରେ କମ ପଞ୍ଚୀକରଣ ହୋଇଛି ସେହି ସ୍ଥାନକୁ ଫୋକସରେ ରଖିଛନ୍ତି ସରକାର । ଏହାଛଡ଼ା ଯେଉଁ ସବୁ ଜିଲ୍ଳାରେ ଅଧିକ ଆବେଦନ ଖାରଜ ହୋଇଛି, ସେଠାରେ ସିଡିପିଓଙ୍କ ତତ୍ତ୍ୱାବଧାନରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।

Advertisment

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ବଣ୍ଟା ସରିଛି । କିନ୍ତୁ ଆବେଦନ ଖାରଜ ହୋଇଥିବା ହିତାଧିକାରୀ ଅସନ୍ତୋଷ ପ୍ରକାଶ କରିବା ପରେ ସରକାର ସତର୍କ ହୋଇଛନ୍ତି । ଜିଲ୍ଲା ୱାରୀ ଯାଞ୍ଚ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । କମ ପଞ୍ଜୀକରଣ ଓ ଅଧିକ ଆବେଦନ ଅଗ୍ରାହ୍ୟ ହୋଇଥିବା ସ୍ଥାନକୁ ଗୁରୁତ୍ୱ ଦେଉଛି ବିଭାଗ ।

- ମାଲକାନଗିରି, କୋରାପୁଟ ଓ ଗଜପତିରେ ଅଧିକ ଆବେଦନ ଅଗ୍ରାହ୍ୟ
-୧୫ ଦିନ ଭିତରେ ସରିବ ସବୁ ଯାଞ୍ଚ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଯେଉଁମାନେ ପ୍ରଥମେ ଆବେଦନ କରିଥିଲେ ଆଉ ସର୍ଭର ଡାଉନ ପାଇଁ ଅଟକିଥିଲା, ସେମାନେ ଦ୍ୱିତୀୟ ଥର ଆବେଦନ କରିନାହାନ୍ତି । ତେଣୁ ଅଧିକ ଆବେଦନ ଖାରଜ ହୋଇଛି । ପ୍ରତି ଜିଲ୍ଲାରେ ୫ ହଜାର ଲେଖାଁଏ ହେଲେ ଟାର୍ଗେଟ ହୋଇଯିବ । ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଟିଏ ୬ ଲକ୍ଷ ଆବେଦନ ହୋଇଛି । ଖାରଜ ତାଲିକାର ୨୨ ପ୍ରତିଶତ ଯାଞ୍ଚ ହୋଇସାରିଛି । ମାଲକାନଗିରି ଜିଲ୍ଲାର ଦୁଇଟି ବ୍ଲକର ଦୁଇଟି ପଞ୍ଚାୟତରେ ଅଧିକ ଆବେଦନ ଖାରଜ ରିପୋର୍ଟ ଆସିଥିଲା, ସେଠାରେ କାଲିଠାରୁ ଟିମ ପହଞ୍ଚିଛନ୍ତି । ସିଡିପିଓଙ୍କ ଦାୟିତ୍ୱରେ ଯାଞ୍ଚ ଚାଲିଛି । ଯେଉଁମାନଙ୍କ ବୟସ ଏଇମାସରେ ୨୧ ବର୍ଷ ହେଲା ସେମାନେ ବି ସୁଭଦ୍ରା ପାଇଁ ଆବେଦନ କରିପାରିବେ ।

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମାର୍ଚ୍ଚ ୭ ତାରିଖରେ ଶେଷ ହେବ । ଆଉ ୮ ତାରିଖରେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ ଆରମ୍ଭ ହେବ ।