କନକବ୍ୟୁରୋ : ପ୍ରଥମ କରି ବିଭିନ୍ନ ଜିଲ୍ଲାରେ ସୁଭଦ୍ରା ଶକ୍ତିମେଳା ଆୟୋଜନ କରାଯାଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ସୁଭଦ୍ରା ଶକ୍ତିମେଳାରେ ମହିଳାଙ୍କ ଉତ୍ସାହ କହିଲେ ନ ସରେ । ବିଭିନ୍ନ ଖାଦ୍ୟଶସ୍ୟଠାରୁ ଆରମ୍ଭ କରି ହସ୍ତତନ୍ତ ଓ ଖାଇବା ଷ୍ଟଲର ପସରା ମେଲାଇ ଥିଲେ ସୁଭଦ୍ରା ମାଆ । ସପ୍ତାହ ବ୍ୟାପି ଆୟୋଜିତ ମେଳାରେ ପ୍ରତି ଷ୍ଟଲରେ ଲକ୍ଷାଧିକ ଟଙ୍କା  ରୋଜଗାର କରିଛନ୍ତି ମହିଳା ଉଦ୍ୟୋଗୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର  ସଦସ୍ୟା । ମାଲକାନଗିରିରେ ଆୟୋଜିତ ହୋଇଛି  ସୁଭଦ୍ରା ଶକ୍ତିମେଳା ।

Advertisment

ମେଳାରେ ୧୨୦ଟି ଷ୍ଟଲ୍ ଖୋଲାଯାଇଥିବା ବେଳେ ମହିଳାମାନେ ଏସବୁ ପରିଚାଳନା କରିଥିଲେ । ମେଳାରେ ପାରମ୍ପରିକ ବିହନ ଓ ଶସ୍ୟଠାରୁ ଆରମ୍ଭ କରି ମସଲା ଆଦିକୁ ପ୍ରାଧାନ୍ୟ ଦିଆଯାଇଥିଲା । ମିଲେଟ ମିଶନର ପ୍ୟାକେଟ ହଳଦୀ, ମାଣ୍ଡିଆ, ବିରି, ମୁଗ, କୋଳଥ, ରାଜମା ଆଦି ଥିଲା ଆକର୍ଷଣ ।

 କଞ୍ଚା ହଳଦୀ, ଗୋଲ ମରିଚ, ଠୁରିଆଳୁ, ଗୁଡ଼ ଆଦିକୁ ଷ୍ଟଲରେ ସ୍ଥାନ ଦେଇଥିଲେ ସୁଭଦ୍ରା ମା’ । ଧାନରେ ତିଆରି ସାଜସଜ୍ଜା ସାମଗ୍ରୀ, ଆଦିବାସୀଙ୍କ ପାରମ୍ପରିକ ପିତ୍ତଳ ସାମଗ୍ରୀ, ସମ୍ବଲପୁରୀ ବସ୍ତ୍ର ସହ ଭଳିକି ଭଳି ଘରକରଣା ଜିନିଷ ଗ୍ରାହକଙ୍କୁ ଆକୃଷ୍ଟ କରିଥିଲା । ଫୁଡ୍ ଷ୍ଟଲରେ ଭଳିକି ଭଳି ଖାଦ୍ୟ ପ୍ରସ୍ତୁତ କରି ଭଲ ପଇସା ରୋଜଗାର କରିଛନ୍ତି ମିଶନ ଶକ୍ତି ମହିଳା ।

ବିଶେଷକରି ମାଣ୍ଡିଆ କାକରା, ମୁଢ଼ି ଚିକେନ୍, ଦହିବରା, ବିରିଆନି, ଚିକେନ୍ ପକୋଡା, ଆଇସକ୍ରିମ୍‌  ପାଇଁ ଗ୍ରାହକଙ୍କ ଭିଡ଼ ଜମି ଥିଲା । ୭ ଦିନ ମଧ୍ୟରେ ଗୋଟିଏ ଗୋଟିଏ ଷ୍ଟଲରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର ହୋଇଥିବା ମିଶନ ଶକ୍ତି ମହିଳା କହିଛନ୍ତି । ସୁଭଦ୍ରା ମେଳାରେ କିଣାବିକା ସହ ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତିଦିନ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।