କନକ ବ୍ୟୁରୋ: ଜିଲ୍ଲାପାଳ ନିକଟକୁ ପଠାଗଲା ସୁଭଦ୍ରାର ଫାଇନାଲ ଗାଇଡଲାଇନ । ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଚିଠି ଲେଖି ସମସ୍ତ ଗାଇଡଲାଇନ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି । କେଉଁମାନେ ସୁଭଦ୍ରା ଯୋଜନାରେ ଲାଭ ପାଇବେ ଓ କେଉଁ ମାନଦଣ୍ଡ ପୂରଣ କଲେ ହିତାଧିକାରୀ ଅଯୋଗ୍ୟ ଘୋଷିତ ହେବେ ତାହା ଗାଇଡଲାଇନରେ ଉଲ୍ଲେଖ ରହିଛି । ସୁଭଦ୍ରା ଯୋଜନାର ହିତାଧିକାରୀ ଚୟନ ପାଇଁ ଜିଲ୍ଲା ଓ ବ୍କକ ସ୍ତରୀୟ କମିଟି ଗଠନ କରାଯିବ । ଏହି କମିଟି ସୁଭଦ୍ରା ଯୋଜନାର ହିତାଧିକାରୀ ବାଛିବ । ଉଭୟ ଅଫଲାଇନ ଓ ଅନଲାଇନରେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ ମହିଳା । ଗୋଟିଏ ପରିବାରର ଏକାଧିକ ମହିଳା ମଧ୍ୟ ଏହି ଯୋଜନାରେ ଲାଭ ପାଇବେ ବୋଲି ଘୋଷଣା କରିସାରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ୫ ବର୍ଷରେ ୧୦ଟି କିସ୍ତିରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ଦେବେ ମୋହନ ସରକାର । ୨୧ରୁ ୬୦ ବର୍ଷର ମହିଳା ଏହି ଯୋଜନାର ଲାଭ ପାଇବେ।

‘ସୁଭଦ୍ରା’ ପାଇଁ ଗାଇଡଲାଇନ

  • ହିତାଧିକାରୀଙ୍କ ବୟସ ୨୧ରୁ ଅଧିକ ଓ ୬୦ବର୍ଷରୁ କମ୍ ହୋଇଥିବା ଆବଶ୍ୟକ
  • ମହିଳାଙ୍କ ନାମରେ ଆଧାର କାର୍ଡ, ଆଧାର ନମ୍ବର ଥିଲେ ଯୋଗ୍ୟ ବିବେଚିତ
  • ମୋବାଇଲ ନମ୍ବର ଆଧାର କାର୍ଡ ସହ ଲିଙ୍କ୍ ଆବଶ୍ୟକ
  • ସମସ୍ତ ହିତାଧିକାରୀଙ୍କୁ ‘ସୁଭ୍ରଦା’ କାର୍ଡ ଦିଆଯିବ
  • ବାର୍ଷିକ ଦୁଇଟି କିସ୍ତିରେ ପାଇବେ ୧୦ହଜାର ଟଙ୍କା
  • ୫ ବର୍ଷରେ ମୋଟ ୫୦ହଜାର ଟଙ୍କା ପାଇବେ ହିତାଧିକାରୀ
  • ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ଟଙ୍କା ପ୍ରଦାନ କରାଯିବ
  • ପରିବାରର ସବୁ ଯୋଗ୍ୟ ମହିଳାଙ୍କୁ ଟଙ୍କା ଯୋଗାଇ ଦିଆଯିବ
  • ସଂଶୋଧିତ ଗାଇଡଲାଇନରେ ରାସନାକାର୍ଡଧାରୀ ପରିବାରକୁ ଲାଭ ମିଳିବ
  • ବାର୍ଷିକ ଅଢ଼େଇ ଲକ୍ଷ ଟଙ୍କାରୁ କମ୍ ଆୟ ପରିବାର ପାଇବେ ସୁବିଧା
  • ସଂଶୋଧିତ ଗାଇଡଲାଇନ୍ ପରେ ବହୁ ନିମ୍ନ ମଧ୍ୟବିତ୍ତ ପରିବାର ବାଦ୍ ପଡ଼ିବା ଆଶଙ୍କା