କନକ ବ୍ୟୁରୋ: ସୁଭଦ୍ରା ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପାଇବାର ଦିନ ପାଖେଇ ଆସୁଥିବାବେଳେ, ମହିଳାଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ୭ ତାରିଖ ସୁଦ୍ଧ ଯେଉଁମାନେ ଆବେଦନ କରିବେ ସେମାନେ ଏହି ପର୍ଯ୍ୟାୟରେ ସାମିଲ ହେବାର ସୁଯୋଗ ରହିଛି ବୋଲି ଜାଣିବା ପରେ, ଆବେଦନକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସୁଭଦ୍ରା ଯୋଜନା ଆବେଦନକାରୀଙ୍କ ସଂଖ୍ୟା ୧ କୋଟି ଟପି ଯାଇଛି। ସେହି ଆବେଦନକାରୀଙ୍କ ମଧ୍ୟରୁ ଏହି ପର୍ୟ୍ୟାୟରେ ୪୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରାର ପ୍ରଥମ କିସ୍ତି ମିଳିବ । 

Advertisment

ଦ୍ବିତୀୟ ପର୍ଯ୍ୟାୟରେ ସାମିଲ ହେବା ପାଇଁ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କ ତାଲିକା ପ୍ରସ୍ତୁତ ପରେ ସେମାନଙ୍କ ଖାତାକୁ ସିଧାସଳଖ ସୁଭଦ୍ରା ଟଙ୍କା ଯିବ । 
 
ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ବି ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ପରୀକ୍ଷା ମୂଳକ ଭାବେ ୧ଟଙ୍କା ଲେଖାଏଁ ଆସିବ । ଯେଉଁମାନଙ୍କ ଖାତାକୁ ୧ଟଙ୍କା ଆସିବ, ସେମାନଙ୍କ ଖାତାକୁ ଆସନ୍ତା ୯ତାରିଖରେ ବାକି ଟଙ୍କା ଆସିବ । ସୁଭଦ୍ରା କ୍ଷେତ୍ର ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦ୍ୱିତୀୟ ପର୍ଯ୍ୟାୟ ଟଙ୍କାକୁ ପ୍ରଦାନ କରିବେ। ଏଥିପାଇଁ ବାରିପଦାରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। 

କେଉଁ ମାନଙ୍କୁ ମିଳିବ ଟଙ୍କା...
- ଯେଉଁମାନଙ୍କ ବ୍ୟାଙ୍କ ଖାତା ଠିକ୍ ଥିବ 
- ଆଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ ସହ ମୋବାଇଲ ଲିଙ୍କ ହୋଇଥିବ 
- ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ନିୟମାବଳୀକୁ ପୂରଣ କରୁଥିବେ 

ତେବେ ସୁଭଦ୍ରା ଟଙ୍କା ଆସିବାକୁ ଥିବାରୁ ଏନେଇ ନେଇ ଉତ୍ସାହିତ ଆବେଦନକାରୀ ।  ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୧୧ ହଜାର ହିତାଧିକାରୀ ସୁଭଦ୍ରା ଟଙ୍କା ପାଇଥିଲେ । ଏଥର ୪୦ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଟଙ୍କା ପାଇବେ । ତେବେ ଯେଉଁ ଯୋଗ୍ୟ ହିତାଧିକାରୀ ଏଥର ବି ବାଦ ପଡିବେ ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଟଙ୍କା ମିଳିବ ।