କନକ ବ୍ୟୁରୋ : ସୁଭଦ୍ରା ଟଙ୍କା ପାଇବା ପାଇଁ ଲକ୍ଷ ଲକ୍ଷ ଆବେଦନକାରୀ ଅପେକ୍ଷା କରିଛନ୍ତି । କେବେ ସେମାନଙ୍କୁ ପ୍ରଥମ କିସ୍ତି ମିଳିବ ସେଥିପାଇଁ ଅପେକ୍ଷା କରିଛନ୍ତି । ରାତି ପାହିଲେ ଅଙ୍ଗନୱାଡି କର୍ମୀଙ୍କ ଠାରୁ ଆରମ୍ଭ କରି ନେତାଙ୍କ ପର୍ୟ୍ୟନ୍ତ ପଚାରିବୁଝୁଛନ୍ତି । ଏହାରି ଭିତରେ ସାମ୍ନାକୁ ଆସିଛି ଆଶ୍ୱସ୍ତି କଲାଭଳି ତଥ୍ୟ ।
ସୁଭଦ୍ରା ଟଙ୍କା ପାଇବା ପାଇଁ ଲକ୍ଷ ଲକ୍ଷ ମହିଳାଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଚାଲିଥିବାବେଳେ, ଏହାକୁ କେମିତି ସଫଳ ଓ ବ୍ୟାପକ କରାଯାଇପାରିବ, ସେଥିପାଇଁ ଜିଲ୍ଲାପାଳ ସମ୍ମିଳନୀରେ ଆଲୋଚନା କରାଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଜିଲ୍ଲାପାଳମାନଙ୍କ ସହ ସୁଭଦ୍ରା ଯୋଜନାର ସଫଳ କାର୍ୟ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦିଆଯାଇଛି । କୁହାଯାଇଛି,
- ଏ ପର୍ଯ୍ୟନ୍ତ ୯୫ଲକ୍ଷରୁ ଅଧିକ ଆବେଦନ ପଞ୍ଜିକୃତ ହୋଇଛି
- ଖୁବଶୀଘ୍ର ୧ କୋଟି ଛୁଇଁପାରେ ପଞ୍ଜିକରଣ
- ସେମାନଙ୍କ ମଧ୍ୟରୁ ଯୋଗ୍ୟ, ଅଯୋଗ୍ୟ ହିତାଧିକାରୀଙ୍କ ବାଛିବେ ସରକାର
୨୦୨୫ ମାର୍ଚ୍ଚ ୮ ତାରିଖ ପୂର୍ବରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା ପ୍ରଦାନ କରିବା ନେଇ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଅର୍ଥାତ ଏହା ପୂର୍ବରୁ ଆବେଦନ କରିଥିବା ହିତାଧିକାରୀ ହିଁ ସୁଭଦ୍ରାର ଲାଭ ପାଇବେ । ଏବଂ ସମସ୍ତ ଅନୁମୋଦନ ଓ ଖାରଜ ଫର୍ମର ତାଲିକା କାରଣ ସହ ସୁଭଦ୍ରା ୱେବ୍ ପୋର୍ଟାଲରେ ଦର୍ଶାଯିବ । ଏସଏମଏସ ଜରିଆରେ ସମସ୍ତଙ୍କୁ ଅବଗତ କରାଯିବ ।
୧ କୋଟି ୮୯ ଲକ୍ଷ ୩୪ ହଜାର ୧୭୬ ସୁଭଦ୍ରା ଆବେଦନ ଫର୍ମ ମଧ୍ୟରୁ ୧ କୋଟି ୫୭ ଲକ୍ଷ ୧ ହଜାର ୫୫ ଫର୍ମ ବଣ୍ଟନ କରାଯାଇଛି । ୨୭ ତାରିଖ ପର୍ୟ୍ୟନ୍ତ ୯୫ ଲକ୍ଷରୁ ଅଧିକ ଆବେଦନ ପଞ୍ଜିକୃତ ହୋଇସାରିଛି ।
ବିଶେଷକରି ଜନଜାତି ବହୁଳ ଅଞ୍ଚଳମାନଙ୍କରେ ପଞ୍ଜୀକରଣକୁ ଗୁରୁତ୍ୱ ଦେବା ପାଇଁ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦିଆଯାଉଛି । ସମୁଦାୟ ୨୫ ଲକ୍ଷ ୨୯ ହଜାର ୭୨୦ "ସୁଭଦ୍ରା" ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଛି । ଏଥି ମଧ୍ୟରୁ ୨୫ ଲକ୍ଷ ୧୭ ହଜାର ୫୪୫ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏବଂ ୧୨ ହଜାର ୧୭୫ ଜଣଙ୍କୁ ସିବିଡିସି ଜରିଆରେ ଅର୍ଥରାଶି ପଠାଯାଇଛି ।