କନକବ୍ୟୁରୋ: ଆଜି ଖାତାକୁ ଆସିବ ସୁଭଦ୍ରା ଟଙ୍କା। ଏଥର ୩୫ଲକ୍ଷରୁ ଅଧିକ ମହିଳା ପାଇବେ ଲାଭ । ଆଜି ଦିନ ୧୨ଟା ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଆସିବ। ଏହି ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ବଂଟନ ପାଇଁ ସୁଭଦ୍ରା କ୍ଷେତ୍ର ବାରିପଦାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଛଉପଡିଆରେ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇ ହିତାଧିକାରୀଙ୍କ ଟଙ୍କା ପଠାଇବେ । ସୁଭଦ୍ରା ଯୋଜନାରେ ମୋଟ୍ ୧ କୋଟି ମହିଳା ପଞ୍ଜିକରଣ କରିସାରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ଦିଆଯିବ। ତେବେ ଯେଉଁମାନେ ଏହି ପର୍ଯ୍ୟାୟରେ ସାମିଲ ହେବେ ନାହିଁ ସେମାନଙ୍କୁ ନିରାଶ ନହେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।