କନକ ବ୍ୟୁରୋ : କାଗଜରେ ମୃତ, ବାସ୍ତବରେ ଜୀବିତ । ସୁଭଦ୍ରା ପୋର୍ଟାଲରେ ଏଭଳି ତ୍ରୁଟି ପାଇଁ ହଇରାଣ ହୋଇଛନ୍ତି ହିତାଧିକାରୀ । ପ୍ରଥମ କିସ୍ତି ପରେ ଆଉ ମିଳିନି ସୁଭଦ୍ରା ସହାୟତା । ଆସ୍କା ଓ ସତ୍ୟବାଦୀରୁ ଏଭଳି ଅଭିଯୋଗ ଆସିବା ପରେ ତତ୍ପରତା ଦେଖାଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ହିତାଧିକାରୀଙ୍କୁ ଟଙ୍କା ମିଳିବ ବୋଲି ସେ କହିଛନ୍ତି । ଏଭଳି ସଙ୍ଗିନ ଅଭିଯୋଗ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି । ପ୍ରଥମ କିସ୍ତି ପାଇବା ପରେ ହିତାଧିକାରୀ ଜୀବିତ ଥାଇ ସୁଦ୍ଧା ସୁଭଦ୍ରା ପୋର୍ଟାଲ୍‌ରେ ମୃତ ଘୋଷଣା କରାଯାଇଛି । ଏଥିପାଇଁ ଦ୍ବିତୀୟ ଓ ତୃତୀୟ କିସ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି ସତ୍ୟବାଦୀ ବ୍ଲକର ୨୧ ଜଣ ସୁଭଦ୍ରା ହିତାଧିକାରୀ । ମୃତ ଦର୍ଶାଯାଇଥିବା ପ୍ରତିମା ମିଶ୍ର, ଅଞ୍ଜଳି ପ୍ରଧାନ, ନିବେଦିତା ପ୍ରଧାନ ଏବେ ନିଜେ ଜୀବିତ ଥିବାର ପ୍ରମାଣପତ୍ର ଧରି ଅଫିସରୁ ଅଫିସକୁ ଘୂରି ବୁଲୁଛନ୍ତି । ସମଦଶା ଭୋଗିଛନ୍ତି ହିଞ୍ଜିଳିକାଟୁ ଉପରରେଗିଡ଼ି ସାହିର ୫୨ ବର୍ଷୀୟ ପ୍ରତିମା ନାୟକ । ସୁଭଦ୍ରାର ପ୍ରଥମ କିସ୍ତି ପାଇବା ପରେ ସ୍ବାମୀଙ୍କ ପାଖକୁ ଫୋନ୍ ଆସିଲା ପତ୍ନୀଙ୍କର ମୃତ୍ୟୁ ହୋଇଛି । ଆଗକୁ ଯୋଜନାରୁ ବାଦ୍ ପଡ଼ିବେ । ହେଲେ ପ୍ରତିମା ଜୀବିତ ଥିବାର ପ୍ରମାଣ ପୁଅ ଧରି ବୁଲୁଥିଲେ ମଧ୍ୟ ଶୁଣିବାକୁ କେହି ନାହିଁ।

ଜୀବିତ ସୁଭଦ୍ରା ହିତାଧିକାରୀଙ୍କୁ ମୃତ ଦର୍ଶାଯିବା ଅଭିଯୋଗ ଆସିବା ପରେ ତତ୍ପର ହୋଇ ଉଠିଛି ବିଭାଗ । ନିଜେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତର୍ଜମା କରିବା ପରେ କହିଛନ୍ତି, ଇ-କେୱାଇସି ଡାଟା ଏଣ୍ଟ୍ରିରେ ତ୍ରୁଟି ଯୋଗୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ଜୀବିତ ଥିବା ସମସ୍ତ ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ମିଳିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ଅଭିଯୋଗ ପାଇବା ପରେ ସତ୍ୟବାଦୀରେ ସୁଭଦ୍ରା ହିତାଧିକାରୀଙ୍କ ସଂଶୋଧିତ ତାଲିକା ଜାରି କରାଯାଇଛି । ହେଲେ ପ୍ରଶ୍ନ ଉଠୁଛି ସରକାରଙ୍କ ଏହି ସଫଳ ଯୋଜନାରେ ଏଭଳି ତ୍ରୁଟି କାହିଁକି ? ଜାଣିଶୁଣି ଯୋଜନାକୁ ବାଟବଣା କରିବାକୁ ହେଉଛି କି ଉଦ୍ୟମ?