କନକ ବ୍ୟୁରୋ: ଅନ୍ଲାଇନ୍ ଗେମ୍ ଆପ୍ରେ ଟଙ୍କା ଲଗେଇ ସୁଭଦ୍ରା ଟଙ୍କା ବୁଡ଼ିବା ଘଟଣାର ଏବେ ତଦନ୍ତ କରିବ ଅର୍ଥନୈତିକ ଅପରାଧ ଶାଖାର ଇଓଡବ୍ଲୁ । ହ୍ୟୁଜ ଆପ ଅନ ଲାଇନ ଗେମ ଠକେଇ ଘଟଣା ଏବେ ନୂଆ ମୋଡ଼ ନେଇଛି । ଅର୍ଥ ବିନିଯୋଗ କାରୀଙ୍କ ଅଭିଯୋଗ ପରେ ଜଗତସିଂହପୁର ପୁଲିସ ଏହି ଘଟଣାକୁ ଇଓଡବ୍ଲ୍ୟୁ କୁ ହସ୍ତାନ୍ତର କରିଛି। ଜଗତସିଂହପୁର ଜିଲା ନହରଣା ଅଞ୍ଚଳର ହଜାର ହଜାର ମହିଳା ଓ ଯୁବକ ଅନ୍ଲାଇନ ଠକଙ୍କ ହାବୁଡ଼ରେ ପଡିଛନ୍ତି। ପ୍ରାୟ ଆଠ ମାସ ହେବ ଚାଲିଥିବା ଏହି ଅନଲାଇନ ମନି ଗେମ୍ ଆପ୍ ଗତ ୨୦ ତାରିଖରେ ହଠାତ ବନ୍ଦ ହୋଇଯାଇଥିଲା ।
ଫଳରେ ଏଥିରେ ଟଙ୍କା ଲଗାଇଥିବା ଲୋକଙ୍କର କୋଟି କୋଟି ଟଙ୍କା ବୁଡି ଯାଇଛି । କିଏ ନିଜ ଉପାର୍ଜିତ ଅର୍ଥ ତ ଆଉ କିଏ ଧାର କରଜ କରି ଟଙ୍କା ଲଗାଇଥିଲେ। ଏପରିକି ମହିଳା ମାନେ ପାଇଥିବା ସୁଭଦ୍ରା ଟଂକାକୁ ଏହି ଆପରେ ବିନିଯୋଗ କରି ଠକେଇର ସିକାର ହୋଇଛନ୍ତି । ଏହି ଅଞ୍ଚଳରୁ ପ୍ରାୟ ୪ ହଜାରରୁ ଅଧିକ ଲୋକ ଏବେ ଠକେଇର ଶିକାର ହେବା ପରେ ନିରାଶ ହୋଇ ବସିଛନ୍ତି । ସେମାନଙ୍କ ଟଙ୍କା ଫେରି ପାଇବା ପାଇଁ କିଛି ଲୋକ ସ୍ଥାନୀୟ ଅନନ୍ତପୁର ଫାଣ୍ଡିରେ ସଂସ୍ଥା ବିରୁଦ୍ଧରେ ଏତାଲା ଦେବାପରେ ଜଗତସିଂହପୁର ପୋଲିସ ଘଟଣାର ତଦନ୍ତ ପାଇଁ ଅର୍ଥ ନୈତିକ ଅପରାଧ ଶାଖାକୁ ହସ୍ତାନ୍ତର କରିଛି ।