କନକ ବ୍ୟୁରୋ: ସୁଭଦ୍ରା ଯେଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଜାନୁଆରୀ 15 ତାରିଖ ପରେ ମିଳିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ତେବେ ଏନେଇ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ। ମାର୍ଚ୍ଚ 31 ତାରିଖ ସୁଦ୍ଧା ଆବେଦନ କଲେ ଏକା ଥରକେ ଦୁଇକିସ୍ତିର ଟଙ୍କା ମିଳିବ।
ସୁଭଦ୍ରା ଟଙ୍କା ପାଇଁ ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଗତକାଲି ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା। ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇ କହିଛନ୍ତି, ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆବେଦନ କଲେ ଏକା ଥରକେ ଦୁଇକିସ୍ତିର ଟଙ୍କା ମିଳିବ। ଜାନୁଆରୀ ୧୫ ତାରିଖ ପରେ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି । ତେବେ ଏନେଇ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ ।
ସୁଭଦ୍ରା ଟଙ୍କା ପାଇଁ ଗାଁର ଶେଷ ହିତାଧିକାରୀ ଆବେଦନ କଲା ଯାଏଁ ପଞ୍ଜୀକରଣ ଚାଲିବ । ୨ ଲକ୍ଷ ୬୭ ହଜାର ମହିଳା ବିଭିନ୍ନ କାରଣରୁ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏମାନଙ୍କ ବାଦ ପଡିବା ପଛର କାରଣ, ବିଧିବଦ୍ଧ ଭାବେ କେହି ଆବେଦନ କରିନଥିବା ଓ ଆବେଦନପତ୍ରରେ ଦେଇଥିବା ତଥ୍ୟ ସହ ପ୍ରକୃତ ତଥ୍ୟର ତାଳମେଳ ରହୁନଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି। ତେବେ ସରକାରୀ ସ୍ତରରେ ଯାଞ୍ଚ ସହ ତ୍ରୁଟିର ସଂଶୋଧନ କରାଯାଉଛି । ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା ଜାନୁଆରୀ ୧୫ ପର୍ଯ୍ୟନ୍ତ ଚାଲିବ । ଯାଂଚ ପରେ ଚୂଡାନ୍ତ ତାଲିକା ପ୍ରସ୍ତୁତ କରାଯିବ। ଏନେଇ ବ୍ୟାଙ୍କଗୁଡିକ ସହିତ ବୈଠକ ସରିଲାଣି ।
ଏହା ମଧ୍ୟରେ ୮୦ ଲକ୍ଷ ୨୦ ହଜାର ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହେଲେଣି । ଏବେ ସୁଦ୍ଧା ମୋଟ୍ ୧ କୋଟି ୬ ଲକ୍ଷରୁ ଅଧିକ ମହିଳା ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିଛନ୍ତି। ଯାଞ୍ଚ ଓ ସଂଶୋଧନ କରି ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।...