କନକ ବ୍ୟୁରୋ : ୫୫୦୦ ଟଙ୍କା ନିବେଶ କଲେ ଦିନକୁ ମିଳିବ ୨୦୦ ଟଙ୍କା । ୧୬,୫୦୦ ନିବେଶ କଲେ ଦୈନିକ ମିଳିବ ୬୧୫ ।  ନିଜ ଅଧିନରେ ଯେତେ ଅଧିକ ଲୋକଙ୍କୁ ସାମିଲ କରିବ ଦରମା ଆକାରରେ ମିଳିବ ସେତେ ଅଧିକ ଟଙ୍କା । କିଛି ଏଭଳି ଲୋଭନୀୟ ଅଫର ଦେଇ ନଭେମ୍ବର ୨୦୨୪ରେ ଜଗତସିଂହପୁର ବାଲିକୁଦା ଅଞ୍ଚଳରେ ଏଣ୍ଟ୍ରି ମାରିଥିଲା ଅନ୍‌ଲାଇନ୍‌ ମନି ଗେମ୍ ସଂସ୍ଥା ହିୟୁଜ୍ ଆପ୍‌ । ଟାର୍ଗେଟରେ ଥିଲେ ଗ୍ରାମାଞ୍ଚଳର ଯୁବପିଢ଼ି ଓ ମହିଳା। ଆପ୍‌ରେ ଅଧିକରୁ ଅଧିକ ଲୋକ ଯୋଡ଼ିବାକୁ କୁଲର ଓ ଫ୍ରିଜ୍ ଉପହାରରେ ଦେଇଥିଲା । ବାସ୍ କମ୍ପାନୀର ଏହି ଲୋଭନୀୟ ଅଫର ଜାଲରେ ଛନ୍ଦି ହୋଇଯାଇଥିଲେ ବାଲିକୁଦା ଅଞ୍ଚଳର ହଜାର ହଜାର ଲୋକ । ଯେଉଁଥିରେ ହଜାରରୁ ଅଧିକ ସୁଭଦ୍ରା ହିତାଧିକାରୀ ମଧ୍ୟ ଥିଲେ । ଅଧିକ ଟଙ୍କା ପାଇବା ଆଶାରେ ସୁଭଦ୍ରା ଟଙ୍କାକୁ ଆପରେ ନିବେଶ କରିଥିଲେ । ହେଲେ ଗତ ୨୦ ତାରିଖ ପର ଠାରୁ ଅନ୍‌ଲାଇନ୍‌ ଆପ୍‌ର ନାହିଁ ଖୋଜ ଖବର । କୋଟି କୋଟି ଟଙ୍କା ଚୂନା ମାରି ଫେରାର ହୋଇଯାଇଛି ସଂସ୍ଥା । 

Advertisment

ଗତ ୮ ମାସ ଧରି ବାଲିକୁଦା ଅଞ୍ଚଳରେ ହଜାର ହଜାର ଲୋକଙ୍କ ଠାରୁ ଟଙ୍କା ଲୁଟିଥିଲା ଏହି ଆପ୍ । ସପ୍ତାହେ ତଳେ ଆପ୍‌ରୁ ଟଙ୍କା ଉଠାଣ ବନ୍ଦ ହୋଇଯାଇଥିଲା । ୱାଲେଟରୁ ଟଙ୍କା ଉଠାଇବାକୁ ନିବେଶକାରୀଙ୍କୁ ଏକକାଳୀନ ପୁଣିଥରେ ଟଙ୍କା ଜମା କରିବାକୁ କୁହାଯାଇଥିଲା । ଏହି ଆଳରେ କୋଟି କୋଟି ଟଙ୍କା ପାଇବା ପରେ ଆଉ କାର୍ଯ୍ୟ କରିନଥିଲା ଆପ୍ । ଏନେଇ ଠକେଇର ଶିକାର ହଜାର ହଜାର ବ୍ୟକ୍ତି ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ଅନଲାଇନ ଠକେଇ ଭିନ୍ନ କଥା । ହେଲେ ଗ୍ରାମାଞ୍ଚଳରେ ଆପ୍ ଜରିଆରେ ଠକେଇ ହେଉଥିଲା, କେମିତି ଜାଣିପାରିନଥିଲା ପ୍ରଶାସନ? ଏହା ପଛର କାର୍ପଟଦାର କିଏ? ଠକେଇର ଶିକାର ହୋଇଥିବା ଲୋକ କେମିତି ଫେରିପାଇବେ ଟଙ୍କା?