କନକ ବ୍ୟୁରୋ : ପୁରୀ ଜିଲ୍ଲା ଗୋପ ବ୍ଲକରେ ଚାଲିଥିବା କେଳେଙ୍କାରୀକୁ ଧରାପକାଇ ଦେଇଛି ସୁଭଦ୍ରା ଯୋଜନା । ଦୁଇ ଜଣ ମହିଳା ଉଭୟ ବାର୍ଦ୍ଧକ୍ୟ ଭତ୍ତା ସହ ସୁଭଦ୍ରା ଯୋଜନାରେ ଟଙ୍କା ପାଇବା ପରେ ଏହି କେଳେଙ୍କାରୀର ପର୍ଦାଫାଶ ହୋଇଛି ।
ଦେସ୍ଥଳୀ ପଞ୍ଚାୟତ ବାଲି ଉପର ଗାଁର ମନୋରମା ମହାନ୍ତି ଓ ଶୋହଣା ଶାସନର ମମତା ମିଶ୍ର । ଉଭୟେ ନିଜର ବୟସ ୬୦ରୁ ଅଧିକ ଦର୍ଶାଇ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି । ଆଉ ଏବେ ଆଧାର କାର୍ଡରେ ଥିବା ବୟସ ଦେଖାଇ ସୁଭଦ୍ରା ଟଙ୍କା ପାଇଛନ୍ତି । କେବଳ ଏହି ଦୁଇ ଜଣ ନୁହନ୍ତି, ଦେସ୍ଥଳୀ ପଂଚାୟତର ୨୧ଜଣ ଏଭଳି କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଜିଲ୍ଲାପାଳ ଓ ବିଡିଓଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଅଭିଯୋଗ ହେଉଛି, ୨୦୨୨ ମସିହା ଭୋଟର ତାଲିକାରେ ଯେଉଁମାନଙ୍କୁ ୬୦ ପୂରିବାକୁ ଆହୁରି ୧୦ରୁ ୧୨ ବର୍ଷ ଥିଲା, ସେମାନେ ୨୦୨୪ ମସିହା ଭୋଟର ତାଲିକାରେ ନିଜକୁ ୬୫/୭୦ ବର୍ଷ ଦର୍ଶାଇ ଭତ୍ତା ପାଉଛନ୍ତି । ହେଲେ ଏହାକୁ ବିଡିଓ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି । ଏନେଇ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା କହିଛନ୍ତି ଯେ ଦୁର୍ନୀତିରେ ସଂପୃକ୍ତ ଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ମାତ୍ର ବିଡିଓ ଛବିରାଣୀ ସାହୁ ଏ ସଂପର୍କରେ କିଛି ପ୍ରତିକ୍ରିୟା ଦେଇନାହାନ୍ତି । ଏସବୁ ଭିତରେ ଦେସ୍ଥଳୀ ପଞ୍ଚାୟତର ଶିମିଳି ଗାଁର ଶଶି ଦାସଙ୍କୁ ୬୫ ବର୍ଷ ହୋଇଥିଲେ ବି ଏପର୍ଯ୍ୟନ୍ତ ଭତ୍ତା ପାଇପାରିନାହାନ୍ତି। ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଶଶି ।