କନକ ବ୍ୟୁରୋ: ବିପଦ ସଙ୍କେତ ତଳକୁ ଖସିଲା ସୁବର୍ଣ୍ଣରେଖା । ରାଜଘାଟ ନିକଟରେ ବିପଦ ସଙ୍କେତ ୧୦ ଦଶମିକ ୩୬ ଥିବାବେଳେ ଏବେ ଜଳସ୍ତର ହ୍ରାସ ପାଇ ୧୦ ଦଶମିକ ୨୮ ମିଟରରେ ପ୍ରବାହିତ ହେଉଛି । ସେହିପରି ଜାମଶୋଳା ଘାଟରେ ୪୮ ଦଶମିକ ୫୦ ମିଟରରେ ଜଳ ପ୍ରବାହିତ ହେଉଛି । ଜଳକା ମଥାନୀଠାରେ ବିପଦ ସଙ୍କେତ ୬ ଦଶମିକ ୫୦ ଥିବା ବେଳେ ଏବେ ୬ ଦଶମିକ ୨୮ ମିଟରରେ ପାଣି ପ୍ରବାହିତ ହେଉଛି । ଭୋଗରାଇ ବ୍ଳକର ୬ଟି ପଞ୍ଚାୟତର ୨୫ରୁ ଅଧିକ ଗାଁ ଏବେ ମଧ୍ୟ ପାଣି ଘେରରେ ରହିଛି ।
ଭୋଗରାଇ ବ୍ଲକ ନାଛିଣ୍ଡା ପଞ୍ଚାୟତ ଡେଉଁର ଗାଁର ଲୋକେ ୩ ଦିନ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ନଦୀ କୁଳିଆ ପଞ୍ଚାୟତ କୁମ୍ଭୀରଗଡ଼ି ଓ ଆରୁହାବର୍ତ୍ତୀରେ ପାଣି ଛାଡ଼ୁଥିବା ବେଳେ ତଳିଆ ପଞ୍ଚାୟତ ଗବଗାଁ, କୁସୁଡ଼ା, ଖରିଦ ପିପଳ ଓ ନାଛିଣ୍ଡା ଆଦି ଅଞ୍ଚଳରେ ପାଣି ବଢ଼ୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏବେବି ପାଣି ଘେରରେ ଭୋଗରାଇ ବ୍ଳକର ୫ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ । ଭୋଗରାଇ କୁମ୍ଭୀରଗଡ଼ି ପଞ୍ଚାୟତ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ନଦୀ କୁଳିଆ ପଞ୍ଚାୟତ କୁମ୍ଭୀରଗଡ଼ି ଓ ଆରୁହାବର୍ତ୍ତୀରେ ପାଣି ଛାଡ଼ୁଥିଲା ବେଳେ ତଳିଆ ପଞ୍ଚାୟତରେ ପାଣି ବଢ଼ୁଥିବା ଦେଖିବାକୁ ମିଳିଛି ।
ସେପଟେ ଯାଜପୁର ଜିଲ୍ଲା ବୈତରଣୀ ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବେଶ କରିଛି । ପ୍ରଥମ ବନ୍ୟା ପାଣିରେ ଧସିଲା ନଦୀବନ୍ଧ । ଏହାର ପ୍ରଭାବରେ ଶାଖା ନଦୀ କାଣୀ ପ୍ରଭାବିତ ହୋଇଛି । କାଣୀ ନଦୀର କଣ୍ଟପଡ଼ାରେ ବନ୍ଧ ମୁକୁଳା ଥିବାରୁ ବନ୍ୟା ଜଳ ଚାଷ ଜମିକୁ ମାଡ଼ିଯାଇଛି । ମଲିକାପୁରଠାରେ କାଣୀ ନଦୀରେ ପୋଲ ନିର୍ମାଣ ଚାଲିଥିବାରୁ ପୁରୁଣା ପୋଲକୁ ଭାଙ୍ଗି ଦିଆଯାଇଥିଲା । ଏଣୁ ଯାତାୟାତ ପାଇଁ ଏକ ବାଉଁଶ ଚାର ନିର୍ମାଣ କରାଯାଇ ମଲିକାପୁର ପାଲାସାହିକୁ ଯୋଗାଯୋଗ ହୋଇଥିଲା । ମାତ୍ର ବନ୍ୟା ଆସିବା ଫଳରେ ବାଉଁଶ ଚାରକୁ ଭାଙ୍ଗି ଭସାଇ ନେଇଛି । ଫଳରେ ଏହି ୨ ଗାଁ ଲୋକଙ୍କ ସମେତ ଦଶରଥପୁର ବ୍ଲକ ଏବଂ ଭଦ୍ରକର ଧାମନଗର ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।