କନକ ବ୍ୟୁରୋ : ଚଳିତ ବର୍ଷ ବୈତରଣୀରେ ତୃତୀୟ ଥର ବନ୍ୟା ଆସିଥିବା ବେଳେ ଏଥର ରୁଦ୍ର ରୂପ ଧାରଣ କରିଛି । ବୈତରଣୀର ଶାଖା ନଦୀ କାଣୀ ନଦୀ କୂଳ ଖାଇ ବନ୍ଧ ଭାଙ୍ଗିଯାଇଛି । ସୁ ସୁ କରି ମାଡ଼ି ଆସିଛି ବନ୍ୟା ଜଳ । ଆଗରେ ଯିଏ ପଡ଼ିଲା ତାକୁ ଭସାଇ ନେଇଛି । ବୈତରଣୀରେ ଜଳସ୍ତର ବଢ଼ିବା ପରେ ଆଜି ଯାଜପୁର ଦଶରଥପୁର ବ୍ଲକ କସପା ପଞ୍ଚାୟତ ଦରଘା ନିକଟରେ ଶାଖା ନଦୀ କାଣୀରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି । ଘାଇ ଦେଇ ବନ୍ୟାଜଳ ଅହିୟାସ ବଜାର ସମେତ ବହୁ ଗାଁରେ ପଶିଛି । ଅଚାନକ ପାଣି ମାଡ଼ି ଆସିବାରୁ ଶତାଧିକ ପରିବାରର ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ପ୍ରଶାସନ ପକ୍ଷରୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।
ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଏହାର ଶାଖା ନଦୀରେ ବନ୍ୟା ଆସିବା ଯୋଗୁଁ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବହୁ ଅଞ୍ଚଳ ପ୍ରଭାବିତ ହୋଇଛି । ବୈତରଣୀ ଉଛୁଳିବା ପରେ ଯାଜପୁରର ଦଶରଥପୁର, କୋରେଇ, ଯାଜପୁର ବ୍ଲକର ଏକାଧିକ ଗାଁରେ ପାଣି ପଶିଛି । ଭଦ୍ରକର ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦବାଲିର ଏକାଧିକ ଗାଁରେ କଲବଲ କରୁଛି ବୈତରଣୀ ପାଣି । କେନ୍ଦୁଝରର ତେଲକୋଇ, ହାଟଡିହି, ଆନନ୍ଦପୁର ଅଞ୍ଚଳରେରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ସୁବର୍ଣ୍ଣରେଖା ଜଳସ୍ତର ବଢ଼ିବା ପରେ ବାଲେଶ୍ୱରର ବାଲିଆପାଳ, ଭୋଗରାଇ, ବସ୍ତା, ଜଳେଶ୍ୱର ବ୍ଲକର ବହୁ ଗାଁରେ ବନ୍ୟା ଜଳ ପଶିଛି ।
ଜାମସୋଲାଘାଟରେ ବର୍ଷା ଲାଗି ରହିଥିବାରୁ ସୁବର୍ଣ୍ଣରେଖା ଆହୁରି ଫୁଲିବ ବୋଲି କୁହାଯାଉଛି । ତେବେ ବନ୍ୟା ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି ରାଜ୍ୟ ସରକାର । ଚଳିତବର୍ଷ ବୈତରଣୀ, ସୁବର୍ଣ୍ଣରେଖାରେ ବାରମ୍ବାର ବନ୍ୟା ଆସି ଲୋକଙ୍କ ଦୁର୍ଦ୍ଦଶାକୁ ବଢ଼ାଇ ଦେଇଛି ।