କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ, ଆଉ ମାତ୍ର ୩ ଦିନର ଅପେକ୍ଷା। ୨୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ଆସିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଅନ୍ୟପଟେ ବାଦ ପଡିଥିବା ଆବେଦନକାରୀଙ୍କୁ ଆଶ୍ୱସ୍ତ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ। ତୃତୀୟ ପର୍ଯ୍ୟାୟରେ ହିଁ ବାଦ୍ ପଡିଥିବା ଆବେଦନକାରୀଙ୍କୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। 

Advertisment

୨ଟି ପର୍ଯ୍ୟାୟରେ ମିଳିସାରିଛି ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା। ଏବେ ତୃତୀୟ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେବାକୁ ସ୍ପଷ୍ଟ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ। ନଭେମ୍ବର ୨୪ରେ ସୁନ୍ଦରଗଡରେ ବିଶାଳ ଆୟୋଜନ କରି ହିତାଧିକାରୀଙ୍କୁ ଦିଆଯିବ ସୁଭଦ୍ରା ସହାୟତା। କିନ୍ତୁ ତୃତୀୟ ପର୍ୟ୍ୟାୟ ଟଙ୍କା ଦେବା ପୂର୍ବରୁ ବଡ ନିଷ୍ପତ୍ତି ନେଇଛନ୍ତି ସରକାର। ବାଦ୍ ପଡିଥିବା ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସୁଭଦ୍ରା ହିତାଧିକାରୀ ତାଲିକାରେ ସାମିଲ କରିବାକୁ ଶେଷ ସ୍ପର୍ଶ ବାଜିଛି। ଏହାସହ ସୁଭଦ୍ରାରୁ ବାଦ୍ ପଡିଥିବା ୨ ଲକ୍ଷ ୬୭ ହଜାର ଆବେଦନକୁ ନେଇ ସନ୍ଧ୍ୟାରେ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି ସରକାର। ସୁଭଦ୍ରା ବାବଦରେ ସୂଚନା ଦେଇ ପ୍ରଭାତୀ କହିଛନ୍ତି, 

- ସୁଭଦ୍ରା ପାଇଁ ଏବେ ସୁଦ୍ଧା ୧ କୋଟି ୧୬ ଲକ୍ଷ ମହିଳା ଆବେଦନ କରିଛନ୍ତି
- ଏବେ ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିଛି ସୁଭଦ୍ରା ଟଙ୍କା
- ଡିସେମ୍ବରରେ ଆସିବ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ସୁଭଦ୍ରା ସହାୟତା ଦେବାକୁ ସରକାର ଘୋଷଣା କରିଛନ୍ତି । କିନ୍ତୁ ଏବେ ବି ଅନେକ ମହିଳା ଆବେଦନ କରିଥିଲେ ମଧ୍ୟ ସୁଭଦ୍ରା ସହାୟତାରୁ ବଞ୍ଚିତ। ସୁଭଦ୍ରା ଗାଇଡଲାଇନ ଏଥିରେ ବାଧକ ସାଜିଛି । ଏହାସହ ପୂର୍ବରୁ ବ୍ୟାଙ୍କ ଆକାଉଣ୍ଟରେ ସମସ୍ୟା ପାଇଁ ୫ ଲକ୍ଷ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ସହାୟତାରୁ ବଞ୍ଚିତ ହୋଇଛନ୍ତି । ଗୋଟିଏ ନମ୍ବରରେ ଏକାଧିକ ଆକାଉଣ୍ଟ ରହୁଥିବାରୁ ଏଭଳି ସମସ୍ୟା ହେଉଛି । ତେଣୁ ଆକାଉଣ୍ଟକୁ ଅପଡେଟ କଲେ ତୃତୀୟ ପର୍ଯ୍ୟାୟରେ ହିଁ ଟଙ୍କା ଆସିବ ବୋଲି କହି ଆବେଦନକାରୀଙ୍କୁ ଆଶ୍ୱସ୍ତ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ । 

ସୁଭଦ୍ରା ଯୋଜନାକୁ ପ୍ରତିଟି ଯୋଗ୍ୟ ମହିଳାଙ୍କ ନିକଟରେ ପହଞ୍ଚାଇବାକୁ ସରକାର ଅଣ୍ଟା ଭିଡିଛନ୍ତି । ପ୍ରଭାତୀ କହିଛନ୍ତି, ଡିସେମ୍ବର ପରେ ନୂଆ ଆବେଦନ କଲେ ବି ୨ଟି କିସ୍ତିର ଟଙ୍କା ଏକାସାଙ୍ଗରେ ମାର୍ଚ୍ଚ ୮ରେ ମିଳିବ। ଆବେଦନକାରୀଙ୍କ ସଂଖ୍ୟା ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଆହୁରି ଅଧିକ ବଢିବ।