ଶୀତରେ ଥରୁଛି ପୁରା ଦେଶ । ଦେଶର କୋଣଅନୁକୋଣରେ କେଉଁଠି ଅଧିକ ଥଣ୍ଡା ଅନୁଭୂତ ହେଉଛି ତ ଆଉ କେଉଁଠି କମ୍ । ବଜାରରେ ମଧ୍ୟ ମନମୁତାବକ ସ୍ବେଟର , ଜ୍ୟାକେଟ୍ , ହୁଡ଼ି , ସଲ୍ ର ପସରା ମେଲିଛି । ଏହାରି ଭିତରେ ବଜାରକୁ ଆଉ ଏକ ଟ୍ରେଣ୍ଡି ଜ୍ୟାକେଟର ଚାହିଦା ବଢିଛି । ବମ୍ବର , ପଫର ଏବଂ ଡାଉନ୍ ଜ୍ୟାକେଟ୍ ନାଁରେ ବିକ୍ରି ହେଉଥିବା ଏହି ଶୀତବସ୍ତ୍ର ଯୁବପିଢୀଙ୍କୁ ଭାରି ପସନ୍ଦ ଆସୁଛି । ଦେଖିବାକୁ ଷ୍ଟାଇଲିସ୍ ,ପିନ୍ଧିବାକୁ ହାଲକା ଏବଂ ଶୀତରୁ ଦେହକୁ ଗରମ ରଖୁଥିବା ଏହି ଜ୍ୟାକେଟର କ୍ବାଲିଟି ଯେମିତି ଭଲ ଦାମ୍ ମଧ୍ୟ ଗ୍ରାହକଙ୍କୁ ସୁହାଇଲା ପରି । ଷ୍ଟାଇଲ୍ ଏବଂ କମ୍ଫର୍ଟକୁ ଦୃଷ୍ଟିରେ ରଖି ଏହି ଜ୍ୟାକେଟକୁ ପ୍ରସ୍ତୁତ କରାଯାଇଛି । ଦେଖିବାକୁ ଫୁଲିଲା ଭଳି ଯେମିତି ପଲିଷ୍ଟର ଓ ଲିନନ୍ କପଡ଼ାରେ କିଏ ପବନ ଭର୍ତ୍ତି କରିଦେଇଛି । କାଗଜ ଭଳି ହାଲୁକା ଏହି ଜ୍ୟାକେଟ ଏତେ ହାଲକା କେମିତି? ଏହି ପ୍ରଶ୍ନର ଉତ୍ତର ଯେତେବେଳେ ଆମେ ଖୋଜିଲୁ ଆମ ନଜରରେ ଆସିଲା ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ । ଯାହା ଦେଖି ଆମେ ହକ୍କାବକ୍କା ହୋଇ ରହିଗଲୁ ।
ଡାଉନ୍ ଜ୍ୟାକେଟ୍ ଯାହାର ଚାହିଦା ଏତେ ଅଧିକ , ଯେ ଥଣ୍ଡାରେ ଶରୀରକୁ ଗରମ ରଖେ । କାଶ୍ମୀର , ସିମଲା , ଲଦାଖ ଏମିତିକି ଏଭରେଷ୍ଟ୍ ଚଢିଲେ ମଧ୍ୟ ଥଣ୍ଡା ପବନ ଶରୀରକୁ ଛୁଇଁ ବି ପାରେନି ; ଏହି ଜ୍ୟାକେଟ୍ କୁ ଫୁଲାଇବାରେ କୌଣସି ତୁଳା , ପବନର ବ୍ୟବହାର ନୁହଁ ବରଂ ପକ୍ଷୀଙ୍କ ପରକୁ ବ୍ୟବହାର କରାଯାଏ । ବତକର ପରକୁ ଡାଉନ୍ ବା ଡକ୍ ଡାଉନ୍ ବୋଲି କୁହାଯାଉଥିବାରୁ ଏହି ଜ୍ୟାକେଟର ନାଁ ଡାଉନ୍ ଜ୍ୟାକେଟ୍ । ଜ୍ୟାକେଟର ଭିତର ପଟେ ଗୋଟିଏ ଟ୍ୟାଗ୍ ଲାଗିଥାଏ ଯାହା ମାଟେରିଆଲର ଗ୍ୟାରେଣ୍ଟି ଦିଏ । ରିପୋର୍ଟ ଅନୁସାରେ , ଦିଲ୍ଲୀର ଜଣେ ଦୋକାନୀଙ୍କୁ ଏ ବିଷୟରେ ପଚାରିବାରୁ ସେ ଜ୍ୟାକେଟର ଗୋଟିଏ କୋଣରୁ କଣା କରି ପକ୍ଷୀର ପର ବାହାର କରି ଦେଖାଇଲେ ଏବଂ ଅଳ୍ପ ହସି କହିଲେ , ଆମେ ଦୁଇ ନମ୍ବର ମାଲ୍ ବିକ୍ରି କରୁନୁ । ଏହି ସବୁ ଜ୍ୟାକେଟ କେଉଁଠାରୁ ସପ୍ଲାଇ ହେଉଛି ପ୍ରଶ୍ନରେ ଦୋକାନୀ ଜଣକ କହିଲେ ଚୀନ୍ ରୁ ମାଲ୍ ହୋଲସେଲ୍ ରେ ଆସୁଛି । ବ୍ରାଣ୍ଡେଣ୍ଡ୍ ଡାଉନ୍ ଜ୍ୟାକେଟ୍ ହେଲେ ୧୦ ରୁ ୧୫ ହଜାର ଏବଂ ନନ୍ ବ୍ରାଣ୍ଡ ଖୋଜିଲେ ୨ ରୁ ୩ ହଜାର ଭିତରେ ଏହି ଜ୍ୟାକେଟ୍ ମିଳିଯିବ ।
ମାନବିକତା ଦୃଷ୍ଟିକୋଣରୁ ଏଠାରେ ଏକ ପ୍ରଶ୍ନ ଉଙ୍କି ମାରୁଛି , ବଜାରରେ ଲକ୍ଷ ଲକ୍ଷ ଟଙ୍କାରେ ହେଉଥିବା ଏହି କାରବାରର ମୂଲ୍ୟ ପ୍ରକୃତରେ ସୁଝୁଛି କିଏ? ପଶୁଙ୍କ ଉପରେ ହେଉଥିବା ଅନୈତିକ ବ୍ୟବହାର ବିରୋଧରେ ସ୍ବର ଉଠାଇଥିବା ଏନଜିଓ PETA ଡାଉନ୍ ଇଣ୍ଡଷ୍ଟ୍ରୀର କଳା କାରବାରର ସତକୁ ଉଜାଗର କରିବା ପାଇଁ ଏକ ରିପୋର୍ଟ ବାହାର କରିଥିଲା । ଏହି ରିପୋର୍ଟରେ ଲେଖା ଥିଲା ଯେ ପକ୍ଷୀଙ୍କ ଛାତିରେ ପରର ଏକ କୋମଳ ପରସ୍ତ ଥାଏ ଯାହାକୁ ଡାଉନ୍ କୁହାଯାଏ ।
କପଡ଼ା ବ୍ୟବସାୟରେ ଏହାର ମୂଲ୍ୟ କାହିଁରେ କେତେ । ଏହି ପର ପାଇଁ ମୁଖ୍ୟତଃ ହଂସ ଏବଂ ବତକଙ୍କୁ ଟାର୍ଗେଟ୍ କରାଯାଏ । ପକ୍ଷୀଙ୍କ ଛାତିରୁ ଏହି ପର ବାହାର କରିବା ପ୍ରକ୍ରିୟା ବି ଖୁବ୍ ଯନ୍ତ୍ରଣାଦାୟକ । କିଛି କ୍ଷେତ୍ରରେ ପକ୍ଷୀଙ୍କୁ ମାରି ପର ବାହାର କରାଯାଏ ଅନ୍ୟ କିଛି କ୍ଷେତ୍ରରେ ଜିଅନ୍ତା ପକ୍ଷୀଙ୍କ ଛାତିରୁ ପରକୁ ଭିଡ଼ିଦିଆଯାଏ । ବାରମ୍ବାର ଉକ୍ତ ପକ୍ଷୀ ଦେହରୁ ଏମିତି ପର ବାହାର କରାଯାଏ । ବତକ ଏବଂ ହଂସଙ୍କୁ ଏହିପରି ଭାବରେ କଷ୍ଟ ଦେବାର ପ୍ରକ୍ରିୟା ମାସ-ବର୍ଷ ଧରି ଚାଲିଥାଏ ।
PETAର ରିପୋର୍ଟ ଅନୁସାରେ , ଡାଉନ୍ ପାଇଁ ଦେଢମାସର ପକ୍ଷୀକୁ ସର୍ବୋକୃଷ୍ଟ ଚୟନ କରାଯାଏ । ପକ୍ଷୀଙ୍କ ମୃତ୍ୟୁ ନହେବା ପର୍ୟ୍ୟନ୍ତ ପ୍ରତି ୬ ମାସ ଅନ୍ତରାଳରେ ତାଙ୍କ ଦେହରୁ ଏମିତି ପର ବାହାର କରାଯାଏ । ପେଟା କହିବାନୁସାରେ ଏମିତି ଜ୍ୟାକେଟ୍ କିଣିବା ଯାହା ଡାଉନ୍ ଇଣ୍ଡଷ୍ଟ୍ରି ଏବଂ ପଶୁ କ୍ରୁରତାକୁ ସମର୍ଥନ କରିବା ତାହା ।