କନକ ବ୍ୟୁରୋ : ପୁଣି ଅକାଳରେ ଚାଲିଯାଇଛି ଜଣେ ମେଧାବୀ ଛାତ୍ରୀଙ୍କ ଜୀବନ । କାରଣ ଆର୍ଥିକ ସମସ୍ୟା କି ଶାରୀରିକ ଅସୁସ୍ଥତା ନୁହେଁ । କାରଣ ମାନସିକ ଚାପ, ଉତ୍ପୀଡ଼ନ ଓ ଅପମାନ । ଗ୍ରେଟର ନୋଏଡାରେ ଥିବା ଶାରଦା ବିଶ୍ବବିଦ୍ୟାଳୟରେ ବିଡିଏସ୍‌ ପାଠ ପଢୁଥିଲେ ୨୧ବର୍ଷ ବୟସର ଜ୍ୟୋତି ଶର୍ମା ।  କିଛି ଦିନ ପରେ ଡାକ୍ତର ହୋଇ ରୋଗୀ ସେବା କରିଥାନ୍ତେ । କିନ୍ତୁ କ୍ୟାରିୟର ଗଢ଼ିବା ପୂର୍ବରୁ ହିଁ ଜୀବନ ହାରିଛନ୍ତି ମେଧାବୀ ଛାତ୍ରୀ । ଦୀର୍ଘ ଦିନ ହେବ ଦୁଇ ଜଣ ଅଧ୍ୟାପକଙ୍କ ଦ୍ବାରା ମାନସିକ ଉତ୍ପୀଡ଼ନର ଶିକାର ହେଉଥିଲେ । ଅଭିଯୋଗ ମଧ୍ୟ କରିଥିଲେ କିନ୍ତୁ କୌଣସି ସମାଧାନ ନମିଳିବାରୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ।  ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ୍‌ ନୋଟରେ ଗୋଟିଗୋଟି ସବୁ କଥା କହି ଜୀବନ ହାରିଛନ୍ତି ଜ୍ୟୋତି ଶର୍ମା । ସୁଇସାଇଟ୍‌ ନୋଟ୍‌ରେ ଜ୍ୟୋତି ଲେଖିଛନ୍ତି "ଯଦି ମୁଁ ମରିଯାଏ, ପିସିପି ଏବଂ ଡେଣ୍ଟାଲ୍ ଡାକ୍ତରୀ ଶିକ୍ଷକମାନେ ଦାୟୀ ରହିବେ। ମୋ ମୃତ୍ୟୁ ପାଇଁ ମହେନ୍ଦ୍ର ସାର୍ ଏବଂ ଶେରି ମ୍ୟାମ୍ ଦାୟୀ। ସେମାନେ ମୋତେ ମାନସିକ ନିର୍ୟାତନା ଦେଇଥିଲେ, ଅପମାନିତ କରିଥିଲେ। ସେମାନଙ୍କ ଯୋଗୁ ମୁଁ ବହୁତ ଦିନ ଧରି ଡିପ୍ରେସନରେ ଅଛି । ମୁଁ ଚାହେ ସେମାନେ ମଧ୍ୟ ସମାନ ଦୁଃଖ ଭୋଗନ୍ତୁ। ଦୁଃଖିତ... ମୁଁ ଆଉ ବଞ୍ଚି ପାରିବି ନାହିଁ।'  ସେପଟେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣି ବିଶ୍ବବିଦ୍ୟାଳୟ ପରିସରରେ ନ୍ୟାୟ ଦାବି ପାଇଁ ଅଡିବସିଛନ୍ତି । ଅଭିଯୁକ୍ତଙ୍କୁ କଠୋରରୁ କଠୋର ଶାସ୍ତି ଦେବାକୁ ଦାବି କରିଛି ପରିବାର । ଏପରିକି ନ୍ୟାୟ ନମିଳିଲେ ଆତ୍ମଦାହ କରିବାକୁ ମୃତ ଛାତ୍ରୀଙ୍କ ମା’ ଧମକ ଦେଇଛନ୍ତି ।

Advertisment

ଅନ୍ୟପଟେ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଆକ୍ରୋଶ ଛାତ୍ରଛାତ୍ରୀ ଭଙ୍ଗାରୁଜା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା   କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।  ଘଟଣାକୁ ନେଇ ଆଉ କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି, ଯାହା ମାମଲାକୁ ନୂଆ ମୋଡ଼ ଦେଇପାରେ । ପୁଲିସକୁ ସୂଚନା କାହିଁକି ଦେଲେନି କଲେଜ ପ୍ରଶାସନ? କାହିଁକି ବିଳମ୍ବରେ ପରିବାରକୁ ସୂଚନା ଦେଲେ? ସୁଇସାଇଡ୍ ନୋଟ୍‌ରେ କିଛି ଅଦଳବଦଳ କରାଯାଇନି ତ ?

ବିଡିଏସର ଦ୍ବିତୀୟ ବର୍ଷର ଛାତ୍ରୀ ଜ୍ୟୋତି ଶର୍ମାଙ୍କ ଘର ଗୁରୁଗ୍ରାମରେ । ୨୧ବର୍ଷ ବୟସର ଜ୍ୟୋତିଙ୍କୁ ଶେଷ ଥର ପାଇଁ ଶୁକ୍ରବାର ସଂଧ୍ୟାରେ ଦେଖିବାକୁ ପାଇଥିଲେ ସହପାଠୀ । ସଂଧ୍ୟା ୭.୩୦ରୁ ୮ ଭିତରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଇଛି । ରାତ୍ରୀ ଭୋଜନ ପାଇଁ ସାଙ୍ଗମାନେ ଡାକିବାରୁ କବାଟ ଖୋଲିନଥିଲେ ଜ୍ୟୋତି । ସନ୍ଦେହ ପରେ କବାଟ ଭାଙ୍ଗିବାରୁ ଫ୍ୟାନରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ।