କନକ ବ୍ୟୁରୋ : ଓଡିଶା ଷ୍ଟାଫ ସିଲେକ୍ସନ କମିଶନ, ଓଏସଏସସି ଦ୍ୱାରା ପରିଚାଳିତ ଆରଆଇ, ଏଆରଆଇ, ଆଇସିଡିଏସ ସୁପରଭାଇଜର ଓ ଅମିନ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ ଆଣିଥିଲେ ପରୀକ୍ଷାର୍ଥୀ । ଆଜି ଏହାକୁ ନେଇ ତୀବ୍ର ହୋଇଛି ଆନ୍ଦୋଳନ ।
ଭୁବନେଶ୍ୱରରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବାସଭବନ ଘେରାଉ କଲେ ପରୀକ୍ଷାର୍ଥୀ । ସେହିପରି କଟକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶହ ଶହ ସଂଖ୍ୟାରେ ଆଶାୟୀ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବାପାଇଁ ଚାଲିଥିଲା ଜୋରଦାର ବିକ୍ଷୋଭ ।
ଭୁବନେଶ୍ୱରରେ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ଏକାଠି ହୋଇ ଷ୍ଟେଟ ଲାଇବ୍ରେରୀ ଆଗରେ ଧାରଣ ଦେଇଛନ୍ତି । ଆଶାୟୀଙ୍କ ଅଭିଯୋଗ ହେଲା, ପରୀକ୍ଷା ପରିଚାଳନା ପାଇଁ ଯେଉଁ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ତାହା କଳା ତାଲିକାଭୁକ୍ତ । ବିବାହ ମଣ୍ଡପ ଓ ସାଇବର କାଫେକୁ ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଛି । ପରୀକ୍ଷାକୁ ବାତିଲ କରି ଅଫଲାଇନ୍ ମାଧ୍ୟମରେ ପରୀକ୍ଷା କରିବାକୁ ଦାବି କରିଛନ୍ତି ଆଶାୟୀ । ବିଶେଷ କରି ସରକାରୀ ପଦବୀ ପାଇଁ ହେଉଥିବା ପରୀକ୍ଷାରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ହଜାର ହଜାର ଏହା ପରୋକ୍ଷରେ ଆଶାୟୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚି ସୃଷ୍ଟି କରୁଛି ।
ପୂର୍ବରୁ ସରକାରୀ ପଦବୀ ପାଇଁ ବିଭିନ୍ନ ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ବିକ୍ଷୋଭ କରିଆସୁଛନ୍ତି ଆଶୟୀ । ଏବେ ଆରଆଇ ପରୀକ୍ଷା ଅନିୟମିତତା ସରକାରଙ୍କ ପାଇଁ ନୂଆ ଅଡୁଆ ସୃଷ୍ଟି କରିଛି ।