କନକ ବ୍ୟୁରୋ: ପିଲାଙ୍କ ଜୀବନ ସହ ଖେଳ ଖେଳୁଛି ବ୍ଲକ ପ୍ରଶାସନ। ଭଙ୍ଗା ଦଦରା ସ୍କୁଲ କୋଠା ଉପରେ ନିର୍ମାଣ ହେଉଛି ନୂତନ ଶ୍ରେଣୀ ଗୃହ । କେଉଁଠି ତାଜାରୁ କଂକ୍ରିଟ ଖସିଲାଣି ତ ଆଉ କେଉଁଠି ଛାତରୁ କଂକ୍ରିଟ ଖସି ରଡ଼ ଦିଶିଲାଣି । କେତେ ବେଳେ ଯେ, କଣ ଅଘଟଣ ଘଟିବ ତାହା କହିବା ମୁସ୍କିଲ । ଏଭଳି ବିପଦ ସଂକୁଳ କୋଠା ଉପରେ କୋଠା ନିର୍ମାଣ କରୁଛି ବ୍ଲକ ପ୍ରଶାସନ । ଏଭଳି ଅଭାବନୀୟ ଅଭିଯୋଗ ଆସିଛି, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରୁ।
ରାଜକନିକା ବ୍ଲକ ଅନ୍ତର୍ଗତ ମଲ୍ଲିସାହାଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ । ୨୦ ବର୍ଷର ପୁରୁଣା ଦଦରା ସ୍କୁଲ ଘର ଉପରେ ତିଆରି ହେଉଛି ନୂଆ କୋଠା । ଯାହାର ତଳ ଘର ଠିକ୍ ନାହିଁ । କାନ୍ଥ ଫାଟି ଆଁ କରିଛି, ତାଜାରୁ ପ୍ଲାଷ୍ଟର ଖସିଯାଉଛି । ତା’ ଉପରେ କୋଠା ନିର୍ମାଣ ହେବା ପରେ ଅବସ୍ଥା କଣ ହେବ ଥରେ ଚିନ୍ତା କରନ୍ତୁ ତ । ଏହା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ନୁହେଁ ତ ଆଉ କ’ଣ ? ବ୍ଲକ୍ ପ୍ରଶାସନ ଜାଣିଶୁଣି ଏଭଳି ନିର୍ମାଣ କରୁଥିବା ଅଭିଯୋଗ ହୋଇଛି ।
ବିଦ୍ୟାଳୟରେ ୫ଟି ଶ୍ରେଣୀରେ ପାଠ ପଢୁଛନ୍ତି ୭୩ଜଣ ଛାତ୍ରଛାତ୍ରୀ । ଶ୍ରେଣୀ ଗୃହ ଅଭାବରୁ ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ା ଚାଲିଛି । ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କା ଅନୁଦାନରେ ନୂଆ କୋଠା ନିର୍ମାଣ ଚାଲିଛି । ରାଜକନିକା ବ୍ଲକ୍ର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାଁରେ କାର୍ଯ୍ୟାଦେଶ ରହିଛି । ସେହି ଅନୁଦାନକୁ ସଠିକ ଢଙ୍ଗରେ ବିନିଯୋଗ କରାଯାଉନାହିଁ । ପୁରୁଣା ଶେଣୀ ଗୃହ ଉପରେ ଅତି ନିମ୍ନମାନର ସାମଗ୍ରୀରେ ନୂଆ ଶ୍ରେଣୀ ଗୃହ ନିର୍ମାଣ କରାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।