କନକ ବ୍ୟୁରୋ : ଦେଶର ଅନେକ ରାଜ୍ୟରେ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ଆଶାତୀତ ଭାବେ କମିବାରେ ଲାଗିଛି । ସେହି ତୁଳନାରେ ଘରୋଇ ସ୍କୁଲରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ଶିକ୍ଷାମନ୍ତ୍ରଣାଳୟ ଏନେଇ ମାର୍ଚ୍ଚ ଓ ଏପ୍ରିଲ ମାସରେ ଅନେକ ରାଜ୍ୟ ସହ ବୈଠକ କରିଥିଲେ । ବୈଠକରେ ବିଶେଷ କରି ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।
ମନ୍ତ୍ରଣାଳୟର ଅଧିକାରୀ ସ୍ପଷ୍ଟ କରିଛନ୍ତି କି, ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରାଖଣ୍ଡ ଭଳି ରାଜ୍ୟରେ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା କମିବାରେ ଲାଗିଛି । ଉଦାହରଣ ଭାବେ ଆନ୍ଧ୍ରପ୍ରଦେଶ କଥା ନିଆଯାଇଛି । ଆନ୍ଧ୍ରପ୍ରଦେଶରେ ମୋଟ ସ୍କୁଲ ସଂଖ୍ୟ ୬୧,୩୭୩ । ଏହା ମଧ୍ୟରୁ ୭୩ ପ୍ରତିଶତ ସରକାରୀ ସ୍କୁଲ । ହେଲେ ଛାତ୍ରଙ୍କ ଆଡମିସନ ହାର ୪୬ ପ୍ରତିଶତ ହୋଇଥିବା ବେଳେ ୨୭ ପ୍ରତିଶତ ଘରୋଇ ସ୍କୁଲରେ ଆଡମିସନ ହାର ୫୨ ପ୍ରତିଶତ ।
ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ଏସବୁ ରାଜ୍ୟକୁ ପରାମର୍ଶ ଦେଇ କହିଛନ୍ତି କି, ଏହି ସମସ୍ୟାର ମୂଳ ପର୍ଯ୍ୟନ୍ତ ଯାଇ ଏହାର ସମାଧାନ ପାଇଁ ଚେଷ୍ଟା କରନ୍ତୁ । କେନ୍ଦ୍ର ସରକାରଙ୍କ ତଥ୍ୟ ମୁ୍ତାବକ ଦେଶରେ ମୋଟ ୨୪.୮୦ କୋଟି ଛାତ୍ରଛାତ୍ରୀ ରହିଛନ୍ତି । ଯାହା ମଧ୍ୟରୁ ୩୬ ପ୍ରତିଶତ ଅର୍ଥାତ ପାଖାପାଖି ୯ କୋଟି ଛାତ୍ରଛାତ୍ରୀ ଘରୋଇ ସ୍କୁଲରେ ପାଠ ପଢୁଛନ୍ତି । ଏହି ହାର ୨୦୨୧-୨୨ ଓ ୨୦୨୨-୨୩ ରେ ୩୩ ପ୍ରତିଶତ ଥିଲା । କେନ୍ଦ୍ର ସରକାରଙ୍କ ଏଭଳି ଚେତାବନୀ ପରେ ରାଜ୍ୟ ସରକାରମାନେ ସରକାରୀ ସ୍କୁଲର ଆନୁସାଙ୍ଗିକ ସୁବିଧା ବୃଦ୍ଧି କରିବା ଓ ଅଭିଭାବକଙ୍କ ଭରସା ବୃଦ୍ଧି କରିବା ନେଇ ପଦକ୍ଷେପ ନେଇପାରନ୍ତି ।