School Student Photograph: (kanak news)
କନକ ବ୍ୟୁରୋ : ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଖୁବଶୀଘ୍ର ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ପାଠ୍ୟକ୍ରମ ବା ସିଲାବସ୍ ପରିବର୍ତ୍ତନ ହେବାକୁ ଯାଉଛି । ଫଳରେ ଆଗାମୀ ଦିନରେ ପିଲାମାନେ ଆଉ ପୁରୁଣା ବହି ପଢିବେ ନାହିଁ, ବରଂ ସେମାନଙ୍କ ପାଇଁ ନୂଆ ବହିର ବ୍ୟବସ୍ଥା କରାଯିବ । ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟପୁସ୍ତକ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ।
ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପାଠ୍ୟକ୍ରମ ପରିବର୍ତ୍ତନ ସମ୍ପର୍କରେ ଗୃହରେ ଏକ ପ୍ରଶ୍ନ ପଚାରିଥିଲେ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହେଉଥିବା ସ୍କୁଲଗୁଡ଼ିକର ପାଠ୍ୟପୁସ୍ତକରେ ପରିବର୍ତ୍ତନ ଆଣିବା ପାଇଁ ସରକାରଙ୍କ ପରିକଳ୍ପନା ରହିଛି ।
ଅଧିକ ପଢ଼ନ୍ତୁ--ନୋଏଡାରେ ବଡ଼ ସାଇବର ଠକେଇ; ଠକିନେଲେ ୧୨ କୋଟି
ତେବେ ଏହି ପରିବର୍ତ୍ତନ ତୁରନ୍ତ ଲାଗୁ ହେବ ନାହିଁ । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏଥିପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି ଏବଂ ପର୍ଯ୍ୟାୟ କ୍ରମେ ଏହି ନୂତନ ପାଠ୍ୟକ୍ରମକୁ ଲାଗୁ କରାଯିବ । ଶିକ୍ଷା ବ୍ୟବସ୍ଥାରେ ସମୟୋପଯୋଗୀ ସୁଧାର ଆଣିବା ଏବଂ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସରକାର ପାଠ୍ୟପୁସ୍ତକ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ପ୍ରାଥମିକ ସ୍ତରରୁ ଉଚ୍ଚ ମାଧ୍ୟମିକ ସ୍ତର ଯାଏଁ ସମସ୍ତ ଛାତ୍ରଛାତ୍ରୀ ନୂଆ ବହି ପଢିବାର ସୁଯୋଗ ପାଇବେ ।
Follow Us