କନକ ବ୍ୟୁରୋ: ବିଦ୍ୟାଳୟକୁ ଶିକ୍ଷାର ମନ୍ଦିର କୁହାଯାଏ। ହେଲେ ଶିକ୍ଷାର ଏହି ମନ୍ଦିରରେ ଯେତେବେଳେ ଚାଲେ ଅସତ କାର୍ଯ୍ୟ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ବାଭାବିକ। ଖଣ୍ଡଗିରିର ଶିବାନନ୍ଦ ସେଣ୍ଟେନାରୀ ବାଳକ ବିଦ୍ୟାଳୟ ନାଁରେ ଆସିଛି ଏପରି କିଛି ସାଂଘାତିକ ଅଭିଯୋଗ। ସ୍କୁଲର ଛାତ୍ରମାନେ ଆଣିଛନ୍ତି ଏହି ଅଭିଯୋଗ। କେବଳ ଏତିକି ନୁହେଁ, ପିଲାମାନଙ୍କୁ ମାଡ଼ ମାରୁଥିବା ନେଇ ଅଭିଯୋଗ ଆସିଛି। କିନ୍ତୁ ବିଡ଼ମ୍ବନାର କଥା ସ୍କୁଲ ପ୍ରିନ୍ସିପାଲଙ୍କ ପାଖରେ ନାହିଁ ଏହାର କୌଣସି ସୂଚନା।
ରାଜଧାନୀର ଛାତି ଉପରେ ଥିବା ଏହି ସ୍କୁଲ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ତାହା ଅତି ସାଂଘାତିକ । ଶିକ୍ଷାର ଏହି ମନ୍ଦିରରେ ଅସତ୍ କାର୍ଯ୍ୟ ପାଇଁ ପ୍ରବର୍ତ୍ତାଉଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଏଠାରେ ପାଠପଢ଼ୁଥିବା ଛାତ୍ରମାନେ । ଅଭିଯୋଗ ଆଣି ଖଣ୍ଡଗିରିର ଶିବାନନ୍ଦ ସେଣ୍ଟେନାରୀ ସ୍କୁଲ ପରିସରରେ ଧାରଣା ଦେଇଛନ୍ତି । ଅଭିଯୋଗ ଆଣିଛନ୍ତି ଯେ, ସ୍କୁଲ ହଷ୍ଟେଲ ସୁପରିଟେଣ୍ଡେଣ୍ଟ କିଶୋର ଚନ୍ଦ୍ର ଦାସ, ସ୍କୁଲ ପରିସରରେ ଅସତ କାର୍ଯ୍ୟ କରିବାକୁ ପିଲାଙ୍କୁ ପ୍ରବର୍ତ୍ତାଉଛନ୍ତି।
ଅଭିଯୋଗ ସେତିକିରେ ସୀମିତ ହୋଇ ରହିନାହିଁ। ପିଲାଙ୍କୁ ମାଡ଼ ମାରିବା ସହ ଶାରୀରିକ ଓ ମାନସିକ ଭାବେ ନିର୍ୟାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି। ପିଲାଙ୍କ ହାତ, ପିଠି ଆଉ ଜଙ୍ଘରେ ଆଘାତ ଲାଗିଥିବାର ଚିତ୍ର କଏଦ ହୋଇଛି। ଏପରିକି ସ୍କୁଲ ପରିସରରେ ଖେଳିବାକୁ ଛାଡ଼ୁନଥିବା କଥା କହିଛନ୍ତି। ସେପଟେ ଘଟଣା ସମ୍ପର୍କରେ ସ୍କୁଲ ପ୍ରିନ୍ସିପାଲଙ୍କ ପାଖରେ କୌଣସି ସୂଚନା ନାହିଁ।
ଏ ପ୍ରଶ୍ନ ଉଠୁଛି, ଶିକ୍ଷାର ମନ୍ଦିରରେ ଚାଲିଛି କ’ଣ? ପାଠପଢ଼ା ନାଁରେ ପିଲାମାନଙ୍କୁ ଅସତ କାର୍ଯ୍ୟରେ ଲଗାଯାଉଛି କି? ପିଲାଙ୍କୁ ମାଡ଼ ମାରିବା ଘଟଣାରେ ହେବ କି କାର୍ଯ୍ୟାନୁଷ୍ଠାନ?