କନକ ବ୍ୟୁରୋ: ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ, ରାଜ୍ୟବ୍ୟାପୀ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବିଦ୍ୟାଳୟସ୍ତରୀୟ ବାର୍ଷିକ ପ୍ରତିଯୋଗିତାରେ ସାମିଲ ହେଲେ ୩ ଲକ୍ଷ ପିଲା । ୫୭୦ଟି ପରୀକ୍ଷା କେନ୍ଦ୍ରରେ ଭାଷାଜ୍ଞାନ, ପ୍ରବନ୍ଧ ଓ ଚିତ୍ରାଙ୍କନରେ ଦେଖାଇଲେ ନିଜ ନିଜର ସୃଜନଶୀଳତା । ସକାଳ ୧୦ଟାରୁ ରାଜ୍ୟର ସମସ୍ତ ବ୍ଲକ୍, ପୌରାଞ୍ଚଳ, ମହାନଗର ନିଗମ ଅଞ୍ଚଳରେ ଆରମ୍ଭ ହୋଇଥିଲା ପରୀକ୍ଷା । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ହସ୍ତାକ୍ଷର ଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ଦକ୍ଷତା ପ୍ରତିପାଦନ କରିଥିଲେ । ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ବୁଲି ତଦାରଖ କରିଥିଲେ ସମ୍ବାଦ ଓ କନକ ନ୍ୟୁଜ ସମ୍ପାଦକ ତନୟା ପଟ୍ଟନାୟକ ।
ପରୀକ୍ଷା କେନ୍ଦ୍ରରେ ହିଁ ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ କରାଯାଇ ବିଜେତାଙ୍କୁ ପୁରସ୍କୃତ କରାଯାଇଛି । ପ୍ରତି କେନ୍ଦ୍ରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପରୀକ୍ଷାର୍ଥୀଙ୍କ ଉତ୍ତରଖାତା ରାଜ୍ୟସ୍ତରରେ ପୁନଃମୂଲ୍ୟାୟନ ହୋଇ ପ୍ରତି ବିଭାଗରେ ତିନିଜଣ ଲେଖାଏଁ ରାଜ୍ୟସ୍ତରୀୟ ବିଜେତାଙ୍କୁ ଚୟନ କରାଯିବ । ସେମାନଙ୍କୁ ‘ସମ୍ବାଦ’ର ବାର୍ଷିକ ଉତ୍ସବରେ ନଗଦ ଅର୍ଥରାଶି ସହ ମାନପତ୍ରରେ ସମ୍ବର୍ଦ୍ଧିତ କରାଯିବ । ଆସନ୍ତା ୧୪ତାରିଖରେ ସମ୍ବାଦ ସାରେଗାମା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଭାଗ ନେବେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ସ୍ୱନକ୍ଷତ୍ର ଦିବସ ଅବସରରେ ଏଭଳି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚିବା ପାଇଁ ସମ୍ବାଦର ପ୍ରୟାସକୁ ବୁଦ୍ଧିଜୀବୀ ଏବଂ ଅଭିଭାବକ ମହଲରେ ପ୍ରଶଂସା କରାଯାଇଛି ।