କନକ ବ୍ୟୁରୋ : ଏଥର ବି ହୋଇନପାରେ କଲେଜ ନିର୍ବାଚନ । ଶନିବାରଠାରୁ ଦୁର୍ଗାପୂଜା ଛୁଟି, ପ୍ରକାଶ ପାଇଲାନି ବିଜ୍ଞପ୍ତି । ଡରାଇଦେଲା ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଘଟଣା ନା କ୍ୟାମ୍ପସ ହାଲଚାଲ ଦେଖି ଡରିଗଲେ ସରକାର ? ଦିନକ ପରେ ଛୁଟି ଆରମ୍ଭ ହୋଇଯାଉଥିବାରୁ ନିର୍ବାଚନ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । କିନ୍ତୁ ସରକାରଙ୍କ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ । ଛାତ୍ର ସଂସଦ ନିର୍ବାଚନ ନେଇ ଅନେକ ପ୍ରତିଶ୍ରୁତି ମିଳିଥିଲା । ଗତବର୍ଷଠାରୁ ଏପର୍ଯ୍ୟନ୍ତ ସରକାର ଅନେକ ଆଶା ଦେଖାଇଥିଲେ । ହେଲେ ଆଶା ନିରାଶାରେ ପରିଣତ ହୋଇଛି । କାରଣ ଚଳିତବର୍ଷ ଆଉ ହୋଇନପାରେ ଛାତ୍ର ସଂସଦ ନିର୍ବାଚନ । ଶନିବାରଠାରୁ ଦଶହରା ପୂଜା ଛୁଟି ଆରମ୍ଭ ହେଉଥିବାରୁ ଛାତ୍ର ସଂସଦ ନିର୍ବାଚନ ନେଇ ଆଶା ଓ ଆଶଙ୍କାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ଯଦିଓ ସରକାର ଏ ଯାଏଁ କିଛି ସ୍ପଷ୍ଟୀକରଣ ଦେଇନାହାନ୍ତି ତଥାପି ସରକାରଙ୍କ ଉପରେ ବର୍ଷିଛନ୍ତି ବିଭିନ୍ନ ଛାତ୍ର ସଙ୍ଗଠନ ।
ଯୁବ ନେତୃତ୍ବକୁ ମାରୁଛି କିଏ ?
ସରକାର ଚୁପ୍ କାହିଁକି ?
୨୦୧୮ ମସିହାଠାରୁ ଓଡ଼ିଶାର କୌଣସି କଲେଜରେ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ୨୦୧୮ରେ ବାତ୍ୟା ତିତିଲି ପାଇଁ ନିର୍ବାଚନ ବାତିଲ୍ ହୋଇଥିଲା । ୨୦୧୯ରେ କ୍ୟାମ୍ପସ୍ ହିଂସାର ଆଳ କରି ପୂରା ରାଜ୍ୟରେ ସରକାର ନିର୍ବାଚନ ବନ୍ଦ କରିଦେଲେ । ୨୦୨୦ ଓ ୨୧ରେ କୋଭିଡ୍ ପାଇଁ ନିର୍ବାଚନ ହୋଇନଥିଲା । ୨୦୨୨ରେ କୌଣସି କାରଣ ନଥାଇ ସରକାର ନିର୍ବାଚନ କରାଇଲେ ନାହିଁ । ନୂଆ ସରକାର ଆସିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି କହିଥିଲେ । ଏହାକୁ ନେଇ ଉତ୍ସାହିତ ଥିଲେ ବିଭିନ୍ନ ଛାତ୍ର ସଙ୍ଗଠନ । ଏବେ ଅସନ୍ତୋଷ ଝାଡ଼ିଛନ୍ତି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ହିଂସା ବଢୁଥିବାରୁ ଓ ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପରେ ସରକାର ଛାତ୍ର ସଂସଦ ନିର୍ବାଚନ ପାଇଁ ପଛଘୁଞ୍ଚା ଦେଉଥିବା ଚର୍ଚ୍ଚା ହେଉଛି ।