କନକ ବ୍ୟୁରୋ : ରାଜ୍ୟରେ ବଢ଼ିଚାଲିଛି ଛାତ୍ରୀ ଓ ମହିଳା ଆତ୍ମହତ୍ୟା ମାମଲା । ବାଲେଶ୍ବର ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ଛାତ୍ରୀ ଓ ମହିଳା ଆତ୍ମହତ୍ୟାର ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଗତ ୪ଦିନ ମଧ୍ୟରେ ୧୦ଜଣ ଯୁବତୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଏବଂ ଆତ୍ମହତ୍ୟା କରିଥିବା ରିପୋର୍ଟ ଆସିଛି । ଚଳିତ ମାସ ୨୨ ତାରିଖରେ ୨ଜଣ, ୨୩ରେ ୨ଜଣ, ୨୪ରେ ୩ଜଣ ଓ ୨୫ରେ ପୁଣି ୨ଜଣ ଯୁବତୀ ବିଷ ପିଇ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଖବର ଚିନ୍ତା ବଢ଼ାଇଦେଇଛି । ସେପଟେ ଛାତ୍ରଛାତ୍ରୀ ମୃତ୍ୟୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । 

Advertisment

ବିଗତ କିଛି ଦିନରେ ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ଉଦ୍ୟମ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି । ଏମିତିକି ବାଲେଶ୍ବର ଏଫଏମ କଲେଜ ଘଟଣା ବି ଚାଞ୍ଚଲ୍ୟ ଖେଳାଇଦେଇଛି । ଲଗାତାରଭାବେ ଏଭଳି ଖବରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ । ଶିକ୍ଷାନୁଷ୍ଠାନରେ ଆତ୍ମହତ୍ୟାକୁ ରୋକାଯାଇନପାରିବା ନେଇ ଅସନ୍ତୋଷ ଜାହିର କରିବା ସହ ଏହା ଏକ ବ୍ୟବସ୍ଥାଗତ ବିଫଳତା ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଏନସିଆରବିର ତଥ୍ୟ ଅନୁଯାୟୀ, ୨୦୨୨ରେ ଦେଶରେ ୧୩ହଜାର ୪୪ଜଣ ଶିକ୍ଷାର୍ଥୀ ଆତ୍ମହତ୍ୟା କରିଥିଲେ, ଏବଂ ପ୍ରତ୍ୟେକ ବର୍ଷର ସଂଖ୍ୟା ଚିନ୍ତାଜନକ । ଶୁକ୍ରବାର ସୁପ୍ରିମକୋର୍ଟର ଜଷ୍ଟିସ ବିକ୍ରମ ନାଥ ଓ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ୨ଜଣିଆ ଖଣ୍ଡପୀଠ ଉଦବେଗ ପ୍ରକାଶ କରିଛନ୍ତି । ଖଣ୍ଡପୀଠ କହିଛନ୍ତି, ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ପଛରେ ମାନସିକ ଅବସାଦ, ପାଠପଢା ବୋଝ, ସାମାଜିକ ବାସନ୍ଦ ଆଦି ଦାୟୀ । କେମିତି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାକୁ ରୋକାଯାଇପାରିବ ସେନେଇ ୧୫ସୂତ୍ରୀ ମାର୍ଗଦର୍ଶିକା ଜାରି କରିଛନ୍ତି ସୁପ୍ରିମକୋର୍ଟ । ଯେ ପର୍ଯ୍ୟନ୍ତ ସରକାର ପିଲାଙ୍କ ଆତ୍ମହତ୍ୟା ରୋକିବା ଲାଗି କୌଣସି ଆଇନ କିମ୍ବା ନିୟାମକ ଢାଞ୍ଚା ବନାଇନାହାନ୍ତି ସେ ପର୍ଯ୍ୟନ୍ତ ଏହି ମାର୍ଗଦର୍ଶିକା ପାଳନ ଅନିବାର୍ଯ୍ୟ ରହିବ ବୋଲି କହିଛନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାର ଏହାକୁ ତତ୍କାଳ ଲାଗୁ କରିବେ ଏବଂ ୯୦ ଦିନ ଭିତରେ ଷ୍ଟାଟସ୍ ରିପୋର୍ଟ ଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । 
ସୁପ୍ରିମକୋର୍ଟ ଜାରି କରିଥିବା ମାର୍ଗଦର୍ଶିକା ଅନୁସାରେ, ସମସ୍ତ ଶିକ୍ଷାନୁଷ୍ଠାନ ମାନସିକ ସ୍ବାସ୍ଥ୍ୟ ନୀତି ଆପଣାଇବେ, ଯାହାକି ଉମିଦ୍, ମନୋଦର୍ପଣ ଏବଂ ଜାତୀୟ ଆତ୍ମହତ୍ୟା ରୋକିବା ରୋକିବା ନୀତିରୁ ପ୍ରେରିତ ହୋଇଥିବ । ସଂସ୍ଥାଗୁଡ଼ିକ ଏହି ନୀତିକୁ ୱେବସାଇଟ୍ ଏବଂ ସୂଚନା ପ୍ଲେଟ୍ ମାଧ୍ୟମରେ ଉପଲବ୍ଧ କରାଇବେ । ଏଥିସହ ପ୍ରତିବର୍ଷ ଏହାକୁ ଅପଡେଟ୍ କରାଯିବ । ୧୦୦ କିମ୍ୱା ଅଧିକ ଶିକ୍ଷାନୁଷ୍ଠାନରେ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ ଯଥା ପଶିକ୍ଷିତ କାଉନସେଲର, ମନୋବିଜ୍ଞାନୀ କିମ୍ବା ମାନସିକ କାର୍ଯ୍ୟକର୍ତ୍ତାଙ୍କ ନିଯୁକ୍ତି ବାଧ୍ୟତାମୂଳକ । ସେହିପରି ଛୋଟ ଶିକ୍ଷାନୁଷ୍ଠାନଗୁଡ଼ିକ ବାହାର ବିଶେଷଜ୍ଞଙ୍କ ସହ ଯୋଗାଯୋଗରେ ରହିବେ । 

ବିଦ୍ୟାର୍ଥୀ ଆତ୍ମହତ୍ୟା  
ସୁପ୍ରିମକୋର୍ଟଙ୍କ ମାର୍ଗଦର୍ଶିକା
-ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଶିକ୍ଷକ ନିଯୁକ୍ତି 
-ଛୋଟ ଛୋଟ ଗୋଷ୍ଠୀର ବିଦ୍ୟାର୍ଥୀଙ୍କ ପାଇଁ ଉପଦେଷ୍ଟାଙ୍କ ନିଯୁକ୍ତି
-ପ୍ରତି ଶିକ୍ଷାନୁଷ୍ଠାନରେ ପ୍ରତିଷ୍ଠା ହେବ ଆତ୍ମହତ୍ୟା ପ୍ରତିରୋଧ ହେଲ୍ପଲାଇନ
-ହଷ୍ଟେଲ, ଶ୍ରେଣୀଗୃହ, କମନ ରୁମ୍‌ ଓ ୱେବସାଇଟରେ ହେବ ଉଲ୍ଲେଖ
-ଆତ୍ମହତ୍ୟାପ୍ରବଣ ପିଲାଙ୍କ ଉପରେ ରହିବ ସ୍ବତନ୍ତ୍ର ନଜର
-ଶିକ୍ଷକ ଓ ଅଣଶିକ୍ଷକ ପ୍ରତି ୨ବର୍ଷରେ ଆତ୍ମହତ୍ୟା ପ୍ରତିରୋଧ ପ୍ରଶିକ୍ଷଣ ନେବେ
-ମାନସିକ ରୋଗ ଚିକିତ୍ସକ ଦେବେ ତାଲିମ
-ଅଭିଭାବକଙ୍କୁ ବି ବୁଝାଇବା ବ୍ୟବସ୍ଥା
-ରାଗିଂ ମୁକ୍ତ ଶିକ୍ଷାନୁଷ୍ଠାନକୁ ଗୁରୁତ୍ବ
-ପାଠପଢା ବୋଝ କମ କରିବାକୁ ପ୍ରତି ୩ମାସରେ ପରୀକ୍ଷା ପାର୍ଟନର ସମୀକ୍ଷା
-ଯୌନ ଉତ୍ପୀଡ଼ନ, ରାଗିଂ, ମାନସିକ ନିର୍ଯାତନାଭଳି ଅଭିଯୋଗର ତ୍ବରିତ ସମାଧାନ 
-ଶିକ୍ଷାନୁଷ୍ଠାନରେ ଉଚିତ ଶୈକ୍ଷିକ ବାତାବରଣ ସୃଷ୍ଟି ଉପରେ ଗୁରୁତ୍ବ 

ଅନ୍ୟପଟେ ଯୁବପିଢ଼ିଙ୍କ ଏଭଳି ପଦକ୍ଷେପକୁ ନେଇ ମତ ପ୍ରକାଶ କରିଛନ୍ତି ବିଶେଷଜ୍ଞ । ସଚେତନତା ଓ ଉଚିତ ମାର୍ଗଦର୍ଶନ ଅଭାବରୁ ଯୁବପିଢ଼ିମାନେ ବିପଥଗାମୀ ହେଉଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି ।