କନକ ବ୍ୟୁରୋ: ଭୁବନେଶ୍ୱର ଚନ୍ଦକାସ୍ଥିତ ଏମଆଇଟିଏମରେ ପଢୁଥିବା ଛାତ୍ର ରାକେଶ ମହାନ୍ତିଙ୍କ ମୃତ୍ୟୁକୁ ନେଇ ବଢିଲା ରହସ୍ୟ । ଗଣେଶ ଭସାଣି ବେଳେ ରାକେଶ ଓ ତାଙ୍କ ସାଙ୍ଗ ସନ୍ଦୀପଙ୍କର ମୃତ୍ୟୁ ହୋଇଥିବାବେଳେ ରାକେଶଙ୍କ ମୃତ୍ୟୁ ଦୁର୍ଘଟଣା ନୁହଁ ବରଂ ହତ୍ୟା କରାଯାଇଥିବା ପରିବାରଲୋକ ଅଭିଯୋଗ ଆଣିଛନ୍ତି । ଏମଆଇଟିଏମରେ କମ୍ପ୍ୟୁଟର ସାଇନ୍ସରେ ବିଟେକ ଶେଷ ବର୍ଷ ଛାତ୍ର ଥଲେ ରାକେଶ ମହାନ୍ତି । ଗତ ୯ ତାରିଖରେ ହଷ୍ଟେଲର ସାଙ୍ଗସାଥୀଙ୍କ ସହ ଗଣେଷ ଭସାଣି ବେଳେ ପାଣିରେ ବୁଡି ରାକେଶ ଆହତ ହୋଇଥିବା ଖବର ମିଳିଥିଲା । ସ୍ଥାନୀୟ ଘରୋଇ ଡାକ୍ତରଖାନାକୁ ନିଆଯାଇଥିବାବେଳେ ପରିବାରଲୋକ ଡାକ୍ତରଖାନା ପହଞ୍ଚିଲାବେଳକୁ ରାକେଶଙ୍କର ମୃତ୍ୟୁ ହୋଇସାରିଥିବା ପରିବାରଲୋକ ଅଭିଯୋଗ ଆଣିଛନ୍ତି । ରାକେଶଙ୍କୁ ହତ୍ୟା କରାଯାଇଥିବା ସିଧାସଳଖ ଅଭିଯୋଗ କରିଛନ୍ତି ବାପା । ଏନେଇ ଚନ୍ଦକା ଥାନାରେ ଲିଖିତ ଅଭିଯୋଗ ବି କରିଛନ୍ତି । ତଦନ୍ତ ହେଲେ  ସବୁ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ରାକେଶଙ୍କର ପରିବାର। ଅନ୍ୟପଟେ ରାକେଶଙ୍କ ବନ୍ଧୁ ସନ୍ଦୀପଙ୍କର ବି ସମାନ ସମୟରେ ମୃତ୍ୟୁ ହୋଇଛି । କିନ୍ତୁ ସନ୍ଦୀପଙ୍କ ପରିବାର ପକ୍ଷରୁ କେହି କ୍ୟାମେରା ସାମ୍ନାରେ କିଛି କହିବାକୁ ରାଜି ନହାନ୍ତି । ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ସହ ଆମେ ଯୋଗାଯୋଗ କରିବାକୁ ଚାହିଁଥିଲୁ ,କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରିନି ।