କନକ ବ୍ୟୁରୋ: ସ୍ତବ୍ଧ କରିଦେବା ଭଳି ଅଘଟଣ ଘଟାଇଲା ଛାତ୍ର । ଜଣେ ୧୮ ବର୍ଷୀୟ ଛାତ୍ର ତା'ର ପୂର୍ବତନ ସ୍କୁଲର ଜଣେ ୨୬ ବର୍ଷୀୟା ଶିକ୍ଷୟିତ୍ରୀଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି । ଅଭିଯୁକ୍ତ ସୂର୍ଯ୍ୟାଂଶ କୋଚର ବ୍ୟକ୍ତିଗତ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟାଇଥିବା ପୁଲିସ କହିଛି । ଏହି ଘଟଣା ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର କୋତୱାଲି ଥାନା ଅନ୍ତର୍ଗତ ଉତ୍କୃଷ୍ଟ ବିଦ୍ୟାଳୟ ଅଞ୍ଚଳରେ ଘଟିଛି । ସୋମବାର ଅପରାହ୍ଣ ପ୍ରାୟ ୩:୩୦ ସମୟରେ ଅଭିଯୁକ୍ତ ଛାତ୍ର ଜଣକ ଏକ ପେଟ୍ରୋଲ ବୋତଲ ନେଇ ଶିକ୍ଷୟିତ୍ରୀଙ୍କ ଘରେ ପହଞ୍ଚିଥିଲା । ଶିକ୍ଷୟିତ୍ରୀ ଜଣକ କିଛି ବୁଝିବା ପୂର୍ବରୁ ଛାତ୍ର ଜଣକ ଅଚାନକ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।
ପୀଡ଼ିତା ଶିକ୍ଷୟିତ୍ରୀଙ୍କ ଶରୀର ୧୦-୧୫ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ତାଙ୍କୁ ତୁରନ୍ତ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ଅନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେ ବିପଦମୁକ୍ତ ଅଛନ୍ତି ।
ଏକତରଫା ପ୍ରେମରୁ ପ୍ରତିଶୋଧ
ପୁଲିସର ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଛାତ୍ର ଏବଂ ଶିକ୍ଷୟିତ୍ରୀ ପରସ୍ପରକୁ ଦୁଇ ବର୍ଷରୁ ଅଧିକ ସମୟ ଧରି ଜାଣିଥିଲେ ଏବଂ ଛାତ୍ର ଜଣକ ଏକତରଫା ଭାବେ ଶିକ୍ଷୟିତ୍ରୀଙ୍କୁ ପସନ୍ଦ କରୁଥିଲା । ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ସ୍ୱାଧୀନତା ଦିବସ ପାଳନ ଅବସରରେ ଶିକ୍ଷୟିତ୍ରୀଙ୍କ ଶାଢ଼ିକୁ ନେଇ ଅଭିଯୁକ୍ତ ଏକ ଅଶାଳୀନ ମନ୍ତବ୍ୟ ଦେଇଥିଲା । ଏନେଇ ଶିକ୍ଷୟିତ୍ରୀ ଜଣକ ଅଭିଯୋଗ କରିବା ପରେ ଛାତ୍ର ରାଗିଯାଇ ଏଭଳି କାଣ୍ଡ ଘଟାଇଥିଲା ।
ଏସଡିପିଓ ଗୁପ୍ତା କହିଛନ୍ତି, "ଏହା ଏକତରଫା ପ୍ରେମ ଓ ବ୍ୟକ୍ତିଗତ ପ୍ରତିଶୋଧର ମାମଲା । ଅଭିଯୋଗ ପରେ ଛାତ୍ର ଜଣ ରାଗିଯାଇ ଏଭଳି ଜଘନ୍ୟ କାଣ୍ଡ ଘଟାଇବାକୁ ଯୋଜନା କରିଥିଲା । ଅଭିଯୁକ୍ତ ବିରୁଦ୍ଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି । ପୀଡ଼ିତାଙ୍କ ସମ୍ପୂର୍ଣ୍ଣ ବୟାନ ରେକର୍ଡ କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"
ଘଟଣାର କିଛି ଘଣ୍ଟା ମଧ୍ୟରେ କୋତୱାଲି ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡୋଙ୍ଗରଗାଓଁ ଥାନା ଅଞ୍ଚଳର କଲ୍ୟାଣପୁର ଗାଁରୁ ଅଭିଯୁକ୍ତକୁ ଗିରଫ କରିଛି । ବର୍ତ୍ତମାନ ତାକୁ ହେପାଜତରେ ରଖାଯାଇ ପଚରାଉଚରା କରାଯାଉଛି ଏବଂ ଘଟଣାର ବିସ୍ତୃତ ତଦନ୍ତ ଜାରି ରହିଛି ।