କନକ ବ୍ୟୁରୋ: ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ । ଉତ୍କଳ ବିଶ୍ବବିଦ୍ୟାଳୟଠାରୁ ଆରମ୍ଭ କରି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ, ସବୁଠି ଉତ୍ତେଜନା ଲାଗିରହିଛି । କେଉଁଠି ରାଗିଂ ଅଭିଯୋଗ ଆସିଲାଣି ତ ଆଉ କେଉଁଠି ପତିଆରା ଲଢ଼େଇ । ସେହିଭଳି ବହୁ କଲେଜର ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଲେଣି । ଗୋଟିଏ ପରେ ଗୋଟିଏ କ୍ୟାମ୍ପସ୍ ଅଶାନ୍ତ ହେବା ଏବେ ପୁଲିସ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । କେଉଁ କ୍ୟାମ୍ପସରେ କେତେ ପୁଲିସ ମୁତୟନ କରିବେ, ତାହାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀମାନେ ବାଉଳା ହୋଇଗଲେଣି । ଏମିତିକି ଅଣଛାତ୍ରଙ୍କୁ କ୍ୟାମ୍ପସ୍ରୁ ତଡ଼ିବାକୁ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୁଲିସର ସହାୟତା ଲୋଡ଼ିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ । ଆଗକୁ ଯଦି ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ, ତାହା ହେଲେ ପରିସ୍ଥିତି କେଉଁ ପୁରରେ ପହଞ୍ଚିବ ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।
ଛାତ୍ର ସଂସଦ ନିର୍ବାଚନ ହେବ କି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ହେଲେ ବର୍ତ୍ତମାନ କ୍ୟାମ୍ପସର ମାହୋଲ ଛାତ୍ର ସଂସଦ ନିର୍ବାଚନ ପାଇଁ ସଜବାଜ ହେଉଛି । ନିର୍ବାଚନ ହେବ କି ନାହିଁ ତାହା ପରର କଥା ହେଲେ ବର୍ତ୍ତମାନ କ୍ୟାମ୍ପସରେ ଯେଉଁଭଳି ପରିସ୍ଥିତି ତାହା ଦେଖିଲେ ନିର୍ବାଚନ ହେବ କି ନାହିଁ କହିବା ମୁସକିଲ ହେବ ।
ରାଗିଂକୁ ନେଇ ଚନ୍ଦ୍ରଶେଖରପୁରସ୍ଥିତ ଆଚାର୍ଯ୍ୟ ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଙ୍କ ମଧ୍ୟରେ ଆଜି ତୁମୁଳକାଣ୍ଡ ସାମ୍ନାକୁ ଆସିଛି । କ୍ୟାମ୍ପସ୍ ବାହାରେ ଦୁଇ ଗୋଷ୍ଠୀ ଛାତ୍ର ମୁହାଁମୁହିଁ ହେବା ସହ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଦ୍ଵିତୀୟ ବର୍ଷ ଛାତ୍ର ଓ ଅଣଛାତ୍ର ମିଳିତ ଭାବେ ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ ଭୁଜାଲି ଧରି ଗୋଡ଼ାଇଥିଲେ । ଭୁଜାଲି ଚୋଟରେ ଏକାଧିକ ଛାତ୍ର ଆହତ ହୋଇଛନ୍ତି । ସାଧାରଣ ଲୋକଙ୍କ ସହାୟତାରେ ପୁଲିସ ଆହତ ଛାତ୍ରଙ୍କୁ ଉଦ୍ଧାର କରିବା ସହ ତିନିଜଣ ଛାତ୍ର ଓ ଅଣଛାତ୍ରଙ୍କୁ ଉଠାଇ ନେଇଥିଲା । ସମସ୍ତେ ନାବାଳକ ହୋଇଥିବାରୁ କୌଣସି ମାମଲା ରୁଜୁ ନ କରି ସନ୍ଧ୍ୟା ବେଳକୁ ଅଭିଭାବକଙ୍କୁ ଡାକି ଅଣ୍ଡରଟେକିଂ ଲେଖି ଅଟକ ଛାତ୍ର ଓ ଅଣଛାତ୍ରଙ୍କୁ ଛାଡ଼ିଥିବା ଜଣାପଡ଼ିଛି ।
ଅଗଷ୍ଟ ୧୫ରୁ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ବିବାଦ ଥମିବାର ନାଁ ଧରୁନି । ଦୁଇଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ଗୋଟିଏ ଗୋଷ୍ଠୀର କିଛି ଛାତ୍ରୀଙ୍କ ଭିଡିଓ ରେକର୍ଡିଂକୁ ନେଇ ପୁଣି ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଖବରପାଇ ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ହସ୍ତକ୍ଷେପ କରିବା ସହ ଜଣେ ଛାତ୍ରଙ୍କୁ କାବୁ କରିବା ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା । ହେଲେ କ୍ୟାମ୍ପସ୍ରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସୂଚନା ମୁତାବକ, ବୁଧବାର ଅପରାହ୍ଣ ପାଖାପାଖି ସାଢ଼େ ୨ଟାରେ ଗୋଟିଏ ଗୋଷ୍ଠୀର କିଛି ଛାତ୍ରୀ ଚାଲି ଚାଲି ଯାଉଥିଲେ । ଏହି ସମୟରେଅନ୍ୟଗୋଷ୍ଠୀର ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ର ସେମାନଙ୍କ ଭିଡିଓ ରେକର୍ଡିଂ କରିଥିଲେ। ଛାତ୍ରୀମାନେ ଜାଣିପାରି ପାଟି କରିବା ସହ ତାଙ୍କୁ ଭିଡିଓ ରେକଡିଂକୁ ଡିଲିଟ୍ କରିବାକୁ କହିଥିଲେ। ଏହାକୁ ନେଇ ସେମାନଙ୍କ ଭିତରେ ଯୁକ୍ତିତର୍କ ପାଟିଶୁଣି ଉଭୟ ଗୋଷ୍ଠୀର ସମର୍ଥକ ସେଠାରେ ପହଞ୍ଚିଥିଲେ । କଥା କଟାକଟିରୁ ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା।
ଉତ୍କଳ ବିଶ୍ଵବିଦ୍ୟାଳୟ ନିକଟରେ ଥିବା ବିଶ୍ଵବିଦ୍ୟାଳୟ ଆଇନ ମହାବିଦ୍ୟାଳୟ(ୟୁଏଲ୍ସି) ଅତିଥି ଅଧ୍ୟାପକରେ ଚାଲିଛି । ତେଣୁ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ସହିତ ୧୬ ଦଫା ଦାବିରେ ଆଜି ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଗେଟ୍ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ଦାବି ପୂରଣ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏ ଆନ୍ଦୋଳନ ଚାଲିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଆତ୍ମନଛାତ୍ର ଅନିଲ କୁମାର ସାହୁଙ୍କ ଅଭିଯୋଗ ଅନୁସାରେ କଲେଜର ସମସ୍ୟା ପ୍ରତି ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତିଙ୍କ ସହ କଲେଜ ଅଧ୍ୟକ୍ଷଙ୍କୁ ଜଣାଇ ଆସୁଛୁ । କିନ୍ତୁ ଉପରିସ୍ଥ ଅଧିକାରୀମାନେ ଖାଲି ଦେଖୁଛୁ କହି କାମ ସାରି ଦେଉଛନ୍ତି । ତେଣୁ ଆଜି ବାଧ୍ୟ ହୋଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଛୁ ।
ଗଞ୍ଜାମ ଭଞ୍ଜବିହାରରେ ତୀବ୍ର ହେଉଛି ଛାତ୍ର-ଅଣଛାତ୍ର ବିବାଦ । ଗତକାଲି ନୂଆଁଖାଇ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ହଜାରେରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ତେବେ କିଛି ଅଣଛାତ୍ର କ୍ୟାମ୍ପସରେ ପଶିଥିବା ନେଇ ଗୋଟିଏ ଗୋଷ୍ଠୀ ଅଭିଯୋଗ ଆଣିବା ପରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଜଣେ ଛାତ୍ର ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଚିକିତ୍ସା ନିମନ୍ତେ ସିଟି ହସପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ କ୍ୟାମ୍ପସରେ ପହଂଚିଥିବା ବେଳେ ସ୍ଥିତି ନିୟନ୍ତ୍ରଣରେ ଥିବା ଭିସି କହିଛନ୍ତି ।
କ୍ୟାମ୍ପସରେ ଶୃଙ୍ଖଳା ପାଇଁ ଛାତ୍ର ସଂସଦ ନିର୍ବାଚନ ଅନେକ ବର୍ଷ ହେବ ବନ୍ଦ ରହିଥିଲା । ତେବେ ଯେଉଁ କାରଣ ପାଇଁ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ ରଖାଯାଇଥିଲା । ଏବେ ସେହି ଘଟଣା ପୁଣି ଆରମ୍ଭ ହେଲାଣି । ଯଦି ଏଭଳି ଲାଗି ରହେ ତେବେ ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ତାହା କହିବା କଷ୍ଟ ହୋଇପଡ଼ିବ ।