କନକ ବ୍ୟୁରୋ: ଛାତ୍ର ସାଂସଦ ନିର୍ବାଚନ ନେଇ ଘୋଷଣା ହୋଇନି। ହେଲେ ଏବେଠୁ କ୍ୟାମ୍ପସରେ ବହିଲାଣି ନିର୍ବାଚନୀ ହାୱା । ପ୍ରଥମେ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଉତ୍ତେଜନା ଦେଖାଦେବାରୁ କ୍ୟାମ୍ପସ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ ।
ବ୍ରହ୍ମପୁରର ଦୁଇ ବିଶ୍ୱବିଦ୍ୟାଳୟରେ ଏବେ ଛାତ୍ର ଉତ୍ତେଜନା ଚର୍ଚ୍ଚାରେ ରହିଛି। ଖଲ୍ଲିକୋଟ ପରେ ଭଞ୍ଜବିହାରରେ ଗଣ୍ଡଗୋଳ ଯୋଗୁଁ କ୍ୟାମ୍ପସ ତାତିଛି। ସେପଟେ ଅଣଛାତ୍ରଙ୍କ ପ୍ରବେଶ ନିଷେଧ ଓ ହଷ୍ଟେଲ ଯାଞ୍ଚ ନିର୍ଦ୍ଦେଶ ସହ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ଦୁଇ ବିଶ୍ୱବିଦ୍ୟାଳୟର କୁଳପତି ।
ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ଛାତ୍ରନେତା । ରାଜନୀତିର ଅନ୍ତୁଡ଼ିଶାଳରେ କ୍ୟାମ୍ପସ ଇଲେକ୍ସନ ନହେଲେ ନେତା କେମିତି ସୃଷ୍ଟି ହେବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଦାବି କର୍ତ୍ତୃପକ୍ଷ ଓ ପ୍ରଶାସନ ସୁରକ୍ଷାକୁ ନଜରରେ ଦେଇ ଶାନ୍ତିଶୃଙ୍ଖଳାରେ ଗାଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାକୁ ଦିଅନ୍ତୁ । ଅଣଛାତ୍ର ପ୍ରବେଶରେ ରୋକ୍ ଲାଗୁ। ଛାତ୍ର ସଂସଦ ନିର୍ବାଚନରେ ନ ରହୁ ରାଜନୈତିକ ହସ୍ତକ୍ଷେପ।
ଗୋଟିଏ ପଟେ ଛାତ୍ର ସଂସଦ ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନି। ଅନ୍ୟପଟେ କ୍ୟାମ୍ପସ ତାତି ଉପରମୁହାଁ ହେଲାଣି। ଏଭଳି ସ୍ଥିତିରେ ଆଗକୁ କ୍ୟାମ୍ପସ ସୁରକ୍ଷା କର୍ତ୍ତୃପକ୍ଷଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।