କନକ ବ୍ୟୁରୋ : ନାରୀ ପାଇଁ ନ୍ୟାୟ ମାଗୁଥିବା ରାଜ୍ୟ କଂଗ୍ରେସକୁ କଳଙ୍କିତ କରିଛନ୍ତି ଛାତ୍ର କଂଗ୍ରେସ ସଭାପତି । ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନଙ୍କୁ ଗିରଫ କରିଛି ପୁଲିସ । ତୁରନ୍ତ ତାଙ୍କୁ ଦଳରୁ ନିଲମ୍ୱନ କରି ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଢ଼ିଛି ରାଜ୍ୟ କଂଗ୍ରେସ । ବିଜେପି କିନ୍ତୁ ଏହି ପ୍ରସଙ୍ଗରେ ଜୋରଦାର ଆକ୍ରମଣ ଆରମ୍ଭ କରିଦେଇଛି । 

Advertisment

ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ, ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଛନ୍ତି । ଯେଉଁ କଂଗ୍ରେସ ଦଳ ନାରୀଙ୍କୁ ନ୍ୟାୟ ପାଇଁ ନାରାବାଜି କରୁଥିଲା, ରାଜରାସ୍ତାରେ ସରକାରଙ୍କୁ ଘେରିଥିଲା , ଓଡିଶା ବନ୍ଦ ଡାକରା ଦେଇଥିଲା , ସେହି ଦଳର ଛାତ୍ର ସଭାପତିଙ୍କ କାରନାମା ଦଳକୁ ଅଡୁଆରେ ପକାଇଛି । ଯୁବତୀଙ୍କ ଅଭିଯୋଗ ଅନୁସାରେ, ଉଦିତ୍‌ଙ୍କ ବିରୋଧରେ ଯୁବତୀଙ୍କ ଅଭିଯୋଗ ଅନ୍ୟ ଦୁଇଜଣଙ୍କ ସହ ବୁଲିବାକୁ ବାହାରିଥିଲେ । ଯୁବତୀ କିଛି ବାଟ ଗଲାପରେ ଗାଡ଼ି ଭିତରେ ଉଦିତ୍‌ ଆସି ବସିଥିଲେ । ସିଧା ହୋଟେଲ ରୁମକୁ ଯାଇ ପାର୍ଟି କରିଥିଲେ ସମସ୍ତେ । ଯୁବତୀଙ୍କୁ ମଦ ପିଇବାକୁ ବାଧ୍ୟ କରିଥିଲେ ଉଦିତ୍‌ । ମନା କରିବାରୁ କୋଲ୍‌ଡ୍ରିଙ୍କ୍‌ସରେ ନିଶା ଦେଇଥିଲେ । ଅଚେତ୍ ଅବସ୍ଥାରେ ଅଧଘଣ୍ଟା ଧରି ଦୁଷ୍କର୍ମ କରିଥିଲେ । ମାର୍ଚ୍ଚ ୧୮ ତାରିଖରେ ଏହି ଘଟଣା ଘଟିଥିବା ବେଳେ, ରବିବାର ମଞ୍ଚେଶ୍ୱର ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ପୀଡ଼ିତା । 

ଅଭିଯୁକ୍ତ ଉଦିତ୍‌ ପ୍ରଧାନଙ୍କ ବିରୋଧରେ ଲାଗିଛି ସାଙ୍ଘାତିକ ଦଫା  

ଦଫା ୬୪(୧) – ଦୁଷ୍କର୍ମ
ଦଫା ୧୨୩ – ଅପରାଧ ଉଦ୍ଦେଶ୍ୟରେ ନିଶା ପାନୀୟ ଦେବା
ଦଫା ୨୯୬ – ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରିବା
ଦଫା ୭୪ - ବଳ ପୂର୍ବକ ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର କରିବା
ଦଫା ୩୫୧(୨) – ଭୟ ଦେଖାଇ ଖରାପ କାର୍ଯ୍ୟ କରିବା ପାଇଁ ବାଧ୍ୟ କରିବା

ଏହି ଘଟଣା ସାମ୍ନାକୁ ଆସିବା ପରେ ଉଦିତ୍‌ ପ୍ରଧାନଙ୍କୁ ନିଲମ୍ୱନ କରିବା ସହ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରିଛି ରାଜ୍ୟ କଂଗ୍ରେସ । ବିଜେପି କିନ୍ତୁ ବେଶ ଆକ୍ରମଣାତ୍ମକ ହୋଇଛି । ପିସିସି ସଭାପତିଙ୍କ ଇସ୍ତଫା ଦାବି କରିଛି । ହୋଟେଲର ସିସିଟିଭି ଫୁଟେଜ୍‌ ଖୋଳତାଡ଼ ବେଳେ, ପୁଲିସକୁ ଅନେକ ପ୍ରମାଣ ମିଳିଛି । ଡାକ୍ତରୀ ମାଇନା ପରେ, ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ତେବେ ସେଦିନ ହୋଟେଲରେ ଥିବା ଯୁବକ ଏବଂ ଯୁବତୀଙ୍କୁ ଖୋଜି ବାହାର କରିବା ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।