କନକ ବ୍ୟୁରୋ: ରାଜଧାନୀରେ କଂଗ୍ରେସ ନାଁରେ ଲାଗିଲା ବେନାମୀ ପୋଷ୍ଟର । ଏଥିରେ ଭକ୍ତଙ୍କ ଇସ୍ତଫା ଦାବି କରାଯାଇଥିଲାବେଳେ ରାହୁଲ-ଉଦିତଙ୍କ ଫଟୋ ଅଛି ।  ତେବେ ପୋଷ୍ଟର କିଏ ଲଗାଇଲା ତାହା ସ୍ପଷ୍ଟ ହୋଇନାହିଁ । ଆଉ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-କଂଗ୍ରେସ ।

Advertisment
  • ବେନାମୀ ପୋଷ୍ଟର ବଢ଼ାଇଲା ଚର୍ଚ୍ଚା
  • କଂଗ୍ରେସକୁ ବଦନାମ ପଛରେ କିଏ? 

ଛାତ୍ରୀ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ନିଲମ୍ବିତ ହୋଇଛନ୍ତି ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ । ଏହାର ଠିକ ୨୪ଘଣ୍ଟା ନ ପୂରୁଣୁ ରାଜଧାନୀର ବିଭିନ୍ନ ସ୍ଥାନରେ କଂଗ୍ରେସ ନାଁରେ ବଡ଼ ବଡ଼ ବେନାମୀ ପୋଷ୍ଟର ଲାଗିଛି । ପୋଷ୍ଟରରେ ରାହୁଲ ଗାନ୍ଧୀ ଓ ଉଦିତ ପ୍ରଧାନଙ୍କ ଫଟୋ ରହିଛି । ରାହୁଲଙ୍କୁ ଦେଶଦ୍ରୋହୀ ଓ ଉଦିତ ପ୍ରଧାନଙ୍କୁ ବଳାତ୍କାରୀ ବୋଲି ଦର୍ଶାଯାଇଛି । ଭକ୍ତ ଦାସଙ୍କ ଇସ୍ତଫା ବି ଦାବି କରାଯାଇଛି । ମହିଳା ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଥିବା ବେଳେ ଉଦିତ ପ୍ରଧାନ ଘଟଣା ଦଳକୁ ବ୍ୟାକଫୁଟକୁ ନେଇଛି । ଆଉ ଏବେ ବେନାମୀ ପୋଷ୍ଟରକୁ ନେଇ ବିଜେପିକୁ ଦାୟୀ କରିଛନ୍ତି କଂଗ୍ରେସ ବିଧାୟକ। 

  • କିଏ ଓ କାହିଁକି ଲଗାଇଲା ପୋଷ୍ଟର? 
  • ବିଜେପି ସମର୍ଥକ ନା ଭକ୍ତଙ୍କ ବିରୋଧୀ? 

ତେବେ ରାଜଧାନୀର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର କିଏ ଲଗାଇଲା ତାହା ସ୍ପଷ୍ଟ ହୋଇନାହିଁ । ପୋଷ୍ଟର କିଏ ଲେଖିଛି ତାର ସୌଜନ୍ୟ ମଧ୍ୟ ଦିଆଯାଇନାହିଁ । ତେଣୁ ପୋଷ୍ଟର କିଏ ଲଗାଇଲା ତାକୁ ନେଇ ଉତ୍କଣ୍ଠା ବଢିଛି । ପ୍ରକୃତରେ ପୋଷ୍ଟର ପଛରେ ବିଜେପି ସମର୍ଥକ ନା କଂଗ୍ରେସରେ ଭକ୍ତ ବିରୋଧୀ ଗୋଷ୍ଠୀ ଅଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ବେନାମୀ ପୋଷ୍ଟରକୁ ନେଇ ଚିହିଁକି ଉଠିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ବିଜେପି ଲୁଚିକି ପୋଷ୍ଟର ମାରିଛି ବୋଲି ଅଭିଯୋଗ ଆଣିଛନ୍ତି । ଆଉ କହିଛନ୍ତି, କଂଗ୍ରେସ କାର୍ଯ୍ୟକ୍ରମକୁ ଦେଖି ବିଜେପି ଭୟଭୀତ ହୋଇଛି । ଏବେ ଆନ୍ଦୋଳନାତ୍ମକ ରୂପ ଦେଖିଛନ୍ତି, ଆଗକୁ ରାଜନୈତିକ ରୂପ ଦେଖିବେ ବୋଲି କହିଛନ୍ତି ଭକ୍ତ । ବିଜେପି ନେତା ବାବୁ ସିଂ କାଉଣ୍ଟର କରିଛନ୍ତି, କାଚ ଘରେ ରହି ଅନ୍ୟକୁ ଟେକା ମାରିଲେ ଯାହା ଅବସ୍ଥା କଂଗ୍ରେସର ସେହି ଅବସ୍ଥା । 

ନାରୀ ସୁରକ୍ଷାକୁ ଅସ୍ତ୍ର କରି ବିରୋଧୀ ରାଜରାସ୍ତାକୁ ଓହ୍ଲାଇଛି । ଏହାକୁ ନେଇ ରାଜନୀତି ସରଗରମ ଥିବାବେଳେ ପୋଷ୍ଟର ରାଜନୀତି କାହାକୁ ଫାଇଦା ଦେବ ଓ କାହାକୁ କ୍ଷତି କରିବ ତାକୁ ନେଇ ରାଜନୈତିକ ମହଲରେ ଅଙ୍କକଷା ଆରମ୍ଭ ହୋଇଛି ।