କନକ ବ୍ୟୁରୋ : ରାଜରାସ୍ତାରେ ଗର୍ଜିଲେ ଛାତ୍ର କଂଗ୍ରେସ କର୍ମୀ । ଛାତ୍ର ସଂସଦ ନିର୍ବାଚନ ଦାବିରେ ବିଧାନସଭା ଘେରାଉ କରିବାକୁ ଛାତ୍ର କଂଗ୍ରେସର ଉଦ୍ୟମ । ଏକାଠି ହୋଇଥିଲେ ଛାତ୍ର କଂଗ୍ରେସ କର୍ମୀ । ଘେରାଉ ସମୟରେ ପୁଲିସର ସୁରକ୍ଷା ବଳୟ ଭାଙ୍ଗି କଂଗ୍ରେସ କର୍ମୀ ବିଧାନସଭା ଆଡ଼କୁ ଅଗ୍ରସର ହେଉଥିବାବେଳେ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା । କିଛି ସମୟ ପାଇଁ ପୁଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ତେବେ ସୁରକ୍ଷା ବଳୟ ଭାଙ୍ଗିପାରିନଥିଲେ । ନୂଆ ସରକାର ଛାତ୍ରସଂସଦ ନିର୍ବାଚନ କରିବାକୁ ଚାହୁଁନାହାନ୍ତି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ ଆଣିଛି । ନିର୍ବାଚନ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ।
କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହେଉଥିବା ଦର୍ଶାଇ ତତକାଳୀନ ସରକାର ୨୦୧୮ରୁ ଛାତ୍ରସଂସଦ ନିର୍ବାଚନକୁ ବନ୍ଦ ରଖିଥିଲେ । କ୍ୟାମ୍ପସ କମିଟି ନାଁରେ ରାଜନୀତି କରିଥିଲେ ବିଜେଡି ସରକାର । ଏବେ ନୂଆ ସରକାର କ୍ଷମତାକୁ ଆସିବା ପରେ ସମୟ ନଥିବା ଦର୍ଶାଇ ଚଳିତବର୍ଷର ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖିଛନ୍ତି । ଆଉ ଏହାକୁ ନେଇ ତାତିଛି ଛାତ୍ର କଂଗ୍ରେସ ଓ ରାଜରାସ୍ତାକୁ ଓହ୍ଲାଇଛି । ଛାତ୍ର ସଙ୍ଗଠନ ଏବିଭିପି ନିର୍ବାଚନ ହାରିଯିବା ଭୟରେ ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନ କରୁନାହାନ୍ତି ବୋଲି ଦଳ ଅଭିଯୋଗ କରିଛି ଛାତ୍ର କଂଗ୍ରେସ ।
ଛାତ୍ର ସଂସଦ ନିର୍ବାଚନକୁ ନେଇ ସବୁ ସଙ୍ଗଠନ ପ୍ରସ୍ତୁତ ଅଛନ୍ତି ବୋଲି କହୁଛନ୍ତି । ସରକାରଙ୍କ ଉପରେ ଚାପ ବି ବଢୁଛି । କିନ୍ତୁ ଏ ବର୍ଷ ନିର୍ବାଚନ ହୋଇପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଥିବାରୁ ନିଷ୍ପତ୍ତିର ପରିବର୍ତ୍ତନ କରିବା ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି ।