କନକ ବ୍ୟୁରୋ: ବାଣୀବିହାର କ୍ୟାମ୍ପସରେ ଧସେଇ ପଶିଲେ ଛାତ୍ର । ଛାତ୍ର ସଂଗଠନ ପକ୍ଷରୁ ବାଣୀବିହାରରେ ବନ୍ଦ ପାଳନ ହେଉଛି । ଭଡ଼ାରେ ଲାଗିଥିବା ସରକାରୀ କ୍ୱାର୍ଟର୍ସ ଖାଲି କରିବାକୁ ଦାବି କରିଛନ୍ତି ଛାତ୍ର ସଂଗଠନ । ଗତକାଲି ହଷ୍ଟେଲରେ ଅଣଛାତ୍ରଙ୍କୁ ବିଦା କରାଯାଇଥିଲା ।
ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ନେଇ କ୍ୟାମ୍ପସରେ ଲାଗି ରହିଛି ଚାପା ଉତ୍ତେଜନା । ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ । ବାଣୀବିହାରରୁ ବସ୍ତି ହଟାଇବା, ଭଡାରେ ଲାଗିଥିବା ସରକାରର କ୍ବାଟର୍ସଗୁଡିକୁ ମୁକ୍ତ କରିବା ଦାବି କରିଛନ୍ତି ପ୍ରମୁଖ ଛାତ୍ର ସଙ୍ଗଠନ । ଗତକାଲି ୧୦ ପ୍ଳାଟୁନ ପୁଲିସ ସହାୟତାରେ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରାଯାଇଥିଲା । ୧ ନମ୍ବର, ୨ ନମ୍ବର, ୩ ନମ୍ବର ଏବଂ ୫ ନମ୍ବର ଛାତ୍ରାବାସରେ କବଜା କରାଯାଇଥିବା ଶତାଧିକ ରୁମରେ ତାଲା ଭାଙ୍ଗି ନୂଆ ତାଲା ପକାଯାଇଥିଲା । ଅଣଛାତ୍ର କବଜା କରିଥିବା ରୁମ୍କୁ ସିଲ୍ କରାଯାଇଛି । ସେମାନଙ୍କ ସାମଗ୍ରୀକୁ ବାହାରେ ପକାଇ ଦେଇଥିଲେ । କେବଳ ହଷ୍ଟେଲ ନୁହେଁ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ଭାବେ ଅଣଛାତ୍ରମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି କର୍ତ୍ତୃପକ୍ଷ । ଏଥିପାଇଁ ସମ୍ପୂର୍ଣ୍ଣ କ୍ୟାମ୍ପସକୁ ଜଗିବ ପୁଲିସ । ଆଇକାର୍ଡ ଦେଖାଇଲେ କ୍ୟାମ୍ପସରେ ପ୍ରବେଶ ଅନୁମତି ମିଳିବ ବୋଲି କୁହାଯାଉଛି ।